ଜୁନିଅର ହକି ବିଶ୍ୱକପ୍: ପ୍ରଥମ କ୍ୱାର୍ଟର ଫାଇନାଲରେ ଜର୍ମାନୀ, ଦ୍ୱିତୀୟରେ ଆର୍ଜେଣ୍ଟିନା ବିଜୟୀ

1 min read

ଭୁବନେଶ୍ବର: ଜୁନିଅର ହକି ବିଶ୍ୱକପରେ ଆରମ୍ଭ ହୋଇ ଯାଇଛି ଅସଲ ଲଢ଼େଇ । ଆଜି ହକି ବିଶ୍ବକପରେ କ୍ବାଟର ଫାଇନାଲ ଖେଳାଯାଉଛି । ପ୍ରଥମ କ୍ବାଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ସ୍ପେନ ଏବଂ ଜର୍ମାନୀ । ତେବେ ପ୍ରଥମ ମ୍ୟାଚରୁ ହିଁ ଦେଖିବାକୁ ମିଳିଥିଲା ରୋମାଞ୍ଚକ ମୁକାବିଲା । ପ୍ରଥମ କ୍ବାଟର ଫାଇନାଲରେ ସୁଟ୍ ଆଉଟରେ ସ୍ପେନକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟର ୫ ମିନିଟରେ ଜର୍ମାନୀର କୁଟର କ୍ରିଷ୍ଟୋଫର ଗୋଲ ସ୍କୋର କରି ଜର୍ମାନୀକୁ ୧-୦ରେ ଆଗୁଆ କରିଥିଲା ।

ଏହାର ୬ ମିନିଟ ପରେ ଅର୍ଥାତ ୧୧ତମ ମିନିଟରେ ସ୍ପେନର ଆବାଜାଓ ଇଗ୍ନାସିଓ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ଏହା ପରେ ୫୯ତମ ମିନିଟରେ ସ୍ପେନ ତରଫରୁ ହୋଇଥିଲା ଦ୍ୱିତୀୟ ଗୋଲ  । ଏହି ଗୋଲ ସହ ସ୍ପେନ ୨-୧ରେ ଆଗୁଆ ରହିଥିଲା । ତେବେ ମ୍ୟାଚର ଶେଷ ମିନିଟରେ ଜର୍ମାନୀ ଆଉ ଏକ ଗୋଲ ସ୍କୋର କରି ମ୍ୟାଚକୁ ଡ୍ର କରିଥିଲା । ମ୍ୟାଚ ଡ୍ର ହେବା ପରେ ସୁଟ୍ ଆଉଟରେ ୩-୧ରେ ବିଜୟ ଲାଭ କରିଥିଲା ଜର୍ମାନୀ । ଏହି ବିଜୟ ସହ ଚଳିତ ବିଶ୍ୱକପରେ ଜର୍ମାନୀ ପ୍ରଥମ ଟିମ୍ ଭାବରେ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।

ସେହିପରି ଭାବରେ ଆଜିର ଦ୍ୱିତୀୟ କ୍ବାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା । ଏହି ମ୍ୟାଚର ଆରମ୍ଭରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ମ୍ୟାଚର ୨୪ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ କ୍ରୁଗର ଜୋକ୍ବିନ୍ ପ୍ରଥମ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଆଗୁଆ କରିଥିଲେ । ଏହାର ଗୋଟିଏ ମିନିଟ ପରେ ଅର୍ଥାତ ୨୫ତମ ମିନିଟରେ ନେଦରଲାଣ୍ଡ୍ସ ପକ୍ଷରୁ ବୁକେନ୍ସ ମିଲ୍ସ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ତେବେ ମ୍ୟାଚର ୫୯ ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଅଗୋଷ୍ଟିନି ଫ୍ରାନ୍କୋ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଦ୍ବିତୀୟ ଟିମ୍ ଭାବରେ ଜୁନିଅର ବିଶ୍ବକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ନେଦରଲାଣ୍ଡ୍ସ ।

 

Leave a Reply