ଖୋଲିଲା ଅଟେଇ ଜଙ୍ଗଲ ସଫାରୀ

ଘଟଗାଁ : କେନ୍ଦୁଝର ଜିଲ୍ଲାରେ ପର୍ଯ୍ଯଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ନୂଆ ପରିକଳ୍ପନା । ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ଅଟେଇ ଜଙ୍ଗଲ ସଫାରୀ । ମାଆ ତାରିଣୀଙ୍କ ମନ୍ଦିର ନିକଟରୁ ମାତ୍ର ୪କିଲୋମିଟର ଦୂରରେ ଅଟେଇ ସଫାରୀର ମଜା ନେଇପାରିବେ ପର୍ଯ୍ଯଟକ । ଶିମିଳିପାଳ ଏବଂ ସାତକୋଶିଆ ଜଙ୍ଗଲ ମଝିରେ ଅବସ୍ଥିତ ଏହି ଅଟେଇ ଜଙ୍ଗଲ । ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ ଅଟେଇ ଜଙ୍ଗଲ ପ୍ରକୃତିପ୍ରେମୀଙ୍କୁ ବେଶ ଆକର୍ଷିତ କରିଥାଏ । ଏବେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ମହାବଳ ବାଘ ସହିତ ହାତୀ, ହରିଣ, ଠେକୁଆ, ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ସ୍ଵତନ୍ତ୍ର ବ୍ଯବସ୍ଥା କରାଯାଇଛି । ପର୍ଯ୍ଯଟକମାନେ ଯେପରି ଜଙ୍ଗଲ ସଫାରୀର ଅନୁଭୂତି ସାଉଣ୍ଟିପାରିବେ ସେଥିପାଇଁ ସ୍ୱତନ୍ତ୍ର ସଫାରୀ ଗାଡିର ବ୍ୟବସ୍ଥା କରିଛି ବନ ବିଭାଗ । ସଫାରୀର ମଜା ନେବାକୁ ପର୍ଯ୍ଯଟକମାନଙ୍କ ମଧ୍ଯରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଅଟେଇ ଜଙ୍ଗଲ ସଫାରୀ ବୁଲିବା ପାଇଁ ତାର ଟିକେଟ ବୁକିଂ କାଉଣ୍ଟର ମାଆ ତାରିଣୀ ମନ୍ଦିର ପରିସରରେ ରହିଛି । ଜଙ୍ଗଲ ସଫାରୀ ଗାଡ଼ିରେ ୪୦ କିଲୋ ମିଟର ଜଙ୍ଗଲ ବୁଲିବେ ପର୍ଯ୍ୟଟକ । ପାଖାପାଖି ତିନି ଘଣ୍ଟାର ଯାତ୍ରା । ପର୍ଯ୍ଯଟମାନେ  ଟିକେଟ ବୁକିଂ ସକାଳ ୬ ଟାରୁ  ୯:୩୦ ମଧ୍ୟରେ କରିପାରିବେ । ଟିକେଟ ମୂଲ୍ୟ ନନ୍ ଏ.ସି ଗାଡ଼ି ପାଇଁ ୨୦୦ ଟଙ୍କା ଏବଂ ଏ.ସି ଗାଡ଼ି ପାଇଁ ୨୫୦ ଟଙ୍କା ରଖାଯାଇଛି । ସଫାରୀ ଗାଡ଼ିରେ ବସି ପର୍ଯ୍ୟଟକ ଜଙ୍ଗଲ ଭିତରେ ମୟୂର ଭ୍ୟାଲି, ୱାଚ୍ ଟାୱାର, ଭିଉ ପଏଣ୍ଟ ଏବଂ ଦରଗଡଶିଳା ଡ୍ୟାମ୍ ଦେଖିପାରିବେ ।