ୟୁପିରେ ଜଙ୍ଗଲରାଜ, ବନ୍ଧୁକ ମୁନରେ ଚାଲିଛି ଉତ୍ତର ପ୍ରଦେଶ ସରକାର

1 min read

ଲକ୍ଷ୍ନୌ:  ୟୁପିରେ ଜଙ୍ଗଲରାଜ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବନ୍ଧୁକ ମୁନରେ ଚାଲିଛି ଉତ୍ତର ପ୍ରଦେଶ ସରକାର । ଗ୍ୟାଙ୍ଗଷ୍ଟର ବ୍ରଦର୍ସଙ୍କୁ କଡ଼ା ସୁରକ୍ଷା ଭିତରେ ହତ୍ୟା ପରେ ୟୁପି ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ସରକାରଙ୍କୁ ଉତ୍ତରଦାୟୀ କରିବା ସହ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ବିରୋଧୀ । ନ୍ୟାୟିକ ବ୍ୟବସ୍ଥା ଉପରେ ସରକାରଙ୍କର ଭରସା ନାହିଁ ବୋଲି କହିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ । ସେପଟେ ଅତିକକୁ ହତ୍ୟା ପରେ ୟୁପିର କିଛି ସ୍ଥାନରେ ଆତସବାଜୀ କରାଯିବା ସହ ସେଲିବ୍ରେସନ କରାଯିବା ନିନ୍ଦନୀୟ ବୋଲି ଓଓ୍ୱେସୀ କହିଛନ୍ତି । ଯେଉଁ ରାଜ୍ୟରେ ହତ୍ୟାକରୀଙ୍କୁ ହିରୋ ଆଖ୍ୟା ଦିଆଯାଏ, ସେହି ସମାଜରେ କୋର୍ଟ ଓ ନ୍ୟାୟପାଳିକାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି ଓଓ୍ୱେସୀ ।

ଅନ୍ୟପକ୍ଷରେ ଟ୍ୱିଟ୍ କରି ସିଧା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । କଡ଼ା ସୁରକ୍ଷାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଅଖିଳେଶ । ଜାଣିଶୁଣି ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ଅଖିଳେଶ ଟ୍ବିଟ୍ କରିଛନ୍ତି । ଏଭଳି ଜଘନ୍ୟ ଅପରାଧ ପାଇଁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିଦିଆଯାଏ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ୟୁପି ସରକାରରେ ଆଇନ ବ୍ୟବସ୍ଥା ଉପରେ ଏହା ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମାୟାବତୀ କହିଛନ୍ତି ।

ସେପଟେ ୟୁପିରେ ଧ୍ୱସ୍ତ ଆଇନଶୃଙ୍ଖଳାକୁ ନେଇ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କର ଦାୟିତ୍ୱ । ହେଲେ ସରକାର ଏଥିରେ ବିଫଳ ହୋଇଛନ୍ତି । ୟୁପିରେ ଯାହା ଘଟୁଛି ତା’ ଉପରେ ପୁରା ଦେଶର ନଜର ରହିଛି ବୋଲି ଗେହେଲଟ କହିଛନ୍ତି । ସେହିପରି ଆଇନଶୃଙ୍ଖଳା ଓ ନ୍ୟାୟିକ ପ୍ରକ୍ରିୟାର ଉଲ୍ଲଂଘନ କରିବା ଗଣତନ୍ତ୍ର ପାଇଁ ଉଚିତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସମ୍ବିଧାନର ରକ୍ଷା କରିବା ସହ ଅପରାଧୀକୁ କଠୋର ଶାସ୍ତି ମିଳିବା ଦରକାର । ମାତ୍ର ଦେଶର ଆଇନଶୃଙ୍ଖଳା ବଜାୟ ରଖିବା ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି । ୟୁପିରେ ସମ୍ବିଧାନ, ଲୋକତନ୍ତ୍ର ଓ ଆଇନ ବ୍ୟବସ୍ଥାର ଏନକାଉଣ୍ଟର କରାଯାଇଛି । ସରକାର ଏହାର ଜବାବ ଦିଅନ୍ତୁ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି କହିଛନ୍ତି ଜେଡିୟୁ ନେତା ନିରଜ କୁମାର ।