କମୁନି ହଇଜାର ଭୟାବହତା: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସାଙ୍ଗକୁ ରିପୋର୍ଟ ବଢ଼ାଇଲା ଚିନ୍ତା

ଭୁବନେଶ୍ବର: କମୁନି ହଇଜାର ଭୟାବହତା । କଲେରାରେ ଲୋକଙ୍କ ଜୀବନ ଗଲା । କଣାସକୁ ପୁଣି କଡ଼ ଲେଉଟେଇଲା ହଇଜା । ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଅଡ଼ୁଆ ସାଜିଛି ଜୁଲାଇ ପ୍ରଥମ ସପ୍ତାହର ରିପୋର୍ଟ । ଜୁଲାଇ ଏକରୁ ୭ ଭିତରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ରୋଗ କାୟାବିସ୍ତାର କଲାଣି । ଏହି ୭ ଦିନରେ ୬ ଚିକେନ ପକ୍ସ, ୫୦୭ ଡେଙ୍ଗୁ, ଗୋଟିଏ ଡିପଥେରିଆ, ୮ଟି ଲେପ୍ଟୋସ୍ପାଇରାସିସ୍, ୬ ମିଳିମିଳା, ଦୁଇ ମେନିଙ୍ଗିଟାଇସ୍ ଓ ୮୯୦ ଟାଇଫଏଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ ବର୍ଷା ସହ ମଶା ବଂଶ ବୃଦ୍ଧି ବି ହେଲାଣି । ୬୨୦୦ ମ୍ୟାଲେରିଆ ରୋଗୀ ଥିବା ବି ରିପୋର୍ଟ ହୋଇଛି । ବିଲକୁ ବିପଦ ଆହୁରି ବଢିଲାଣି । କାରଣ ୭ ଦିନରେ ୯୦ ଜଣ ସ୍କ୍ରବ ଟାଇଫସ୍ ରୋଗୀ ବି ଚିହ୍ନଟ ହୋଇଛନ୍ତି । ବାକି ୭୪ ଜଣ ଅଚିହ୍ନା ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କ କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ । ୭ ଦିନରେ ବିପଦ ଟଳିବା ବଦଳରେ ବଢୁଛି । ଏହା ସମୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ୧୧ ହଜାର ୧୮୦ରେ ପହଞ୍ଚିଥିଲା । ଏଥିପାଇଁ କଟକ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ଯାଜପୁରରେ ବି ସଂଖ୍ୟା କମୁନି ।

ଜୁଲାଇ ଆରମ୍ଭରୁ ହିଁ ଘର ଘରେ ଥଣ୍ଡା ଜ୍ବର କାଶ କମିବାର ନାଁ ନେଉନି । ପିଲାମାନଙ୍କ ଭିତରେ ବର୍ଷା ଦିନିଆ ରୋଗ ଦାନା ବାନ୍ଧିଛି । ୪୮୧୭ ଜଣ ୫ ବର୍ଷରୁ କମ୍ ପିଲାଙ୍କୁ ୭ ଦିନରୁ କମ୍ ଦିନ ଧରି ଜ୍ବର ଥିବାବେଳେ ୩୦ ହଜାର ୮୫୫ ଜଣଙ୍କୁ ୭ ଦିନ ହେବ ଜ୍ବର ଛାଡ଼ିନି । ସେହପରି ଗତ ଦୁଇ ସପ୍ତାହରୁ ୧୩୧୪ ପିଲାଙ୍କୁ କାଶ ସହ ଜ୍ବର ଲାଗି ରହିଥିବାବେଳେ ୨୬୪୭ ଜଣଙ୍କ କାଶ ବନ୍ଦ ହେଉନି । ୧୫୮୪ ଜଣ ପିଲାଙ୍କ ଝାଡ଼ା ଲାଗି ରହିଥିଲା । ଦିନେ ଦୁଇ ଦିନ ଭିତରେ ଜୁଲାଇ ଦ୍ବିତୀୟ ସପ୍ତାହର ସ୍ବାସ୍ଥ୍ୟ ରିପୋର୍ଟ ଆସିପାରେ । ବର୍ଷା ବଢିବା ସହ ସଂକ୍ରମଣ ବଢୁଛି । ହେଲେ କୋଭିଡ ପରେ ପ୍ରତିଷେଧକ ଶକ୍ତି କମି ଯାଇଥିବାରୁ, ଲୋକଙ୍କ ଭିତରେ ଆଶଂକା ବଢିବାରେ ଲାଗିଛି ।