ଜୁଏଲଙ୍କୁ ୧୦ କୋଟି ଲାଞ୍ଚ ଯାଚୁଥିଲା ପୋସ୍କୋ, କଂଗ୍ରେସ ପଚାରିଲା କିଏ ଓ କେବେ ?

ବରଗଡ଼: ଅଡୁଆରେ ସୁନ୍ଦରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ । ପଦମପୁର ନିର୍ବାଚନୀ ସଭାରେ ସ୍ବଚ୍ଛତାର ଷ୍ଟଣ୍ଟ ଦେଖାଇବାକୁ ଯାଇ ହରଡଘଣାରେ ପଡିଯାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପୋସ୍କୋ କମ୍ପାନୀ ତାଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଯାଚିଥିବା କହିଛନ୍ତି ଜୁଏଲ । ହେଲେ ସେ କୁଆଡେ ସେ ସମୟରେ ସଚ୍ଚୋଟତା ଦେଖାଇବାକୁ ଯାଇ ଲାଞ୍ଚ ନେଇନଥିଲେ ।

ଜୁଏଲଙ୍କ ଏଭଳି ରାଜନୈତିକ ନାଟକବାଜୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଲାଞ୍ଚ ଦେବା ଓ ନେବା ଅପରାଧ ହୋଇଥିବା ବେଳେ ପୋସ୍କୋ କମ୍ପାନୀର କିଏ ଓ କେବେ ୧୦ କୋଟି ଟଙ୍କା ଜୁଏଲଙ୍କ ପାଖକୁ ଦେବାକୁ ଆସିଥିଲେ ସେ ସମ୍ପର୍କରେ ସେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଜୁଏଲ ଓରାମ ଯଦି ସଚ୍ଚୋଟ ଥିଲେ ତେବେ ପୋଲିସ, ଭିଜିଲାନ୍ସ କିମ୍ବା ଇଡିରେ କାହିଁକି ଅଭିଯୋଗ କରିନଥିଲେ । ସେତେବେଳେ ଚୁପ ରହି ଏବେ ନିର୍ବାଚନ ସମୟରେ ଏପରି ବୟାନବାଜୀର ଲୁକାୟିତ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ ।

ଏହାସହିତ କଂଗ୍ରେସକୁ ବଦନାମ କରିବାକୁ ଜୁଏଲ ଏହି ନିର୍ବାଚନୀ ସଭାରେ ଚେଷ୍ଟା କରିଛନ୍ତି । ଏହା ବିରୋଧରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି କିଣା ବିକାରେ ବିଶ୍ବାସ କରୁଥିବା ଓ ବିଜେପି ନେତାମାନେ ମିଛ କହିବାରେ ରେକର୍ଡ କରିଥିବା କଂଗ୍ରେସ କହିଛି । କେଉଁ କଂଗ୍ରେସ ନେତା ବିକ୍ରି ହୋଇଛନ୍ତି ଓ କିଏ କିଣିଛନ୍ତି ଜୁଏଲ ଓରାମ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।