ରେରା ଅଫିସରେ ବିଲ୍ଡରଙ୍କ ଲବି, ପୂରଣ ହୋଇପାରୁନି ନ୍ୟାୟିକ ଅଫିସର ପଦବୀ

ଭୁବନେଶ୍ୱର: ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଲୋକଙ୍କ ଅଧିକାରକୁ ସୁରକ୍ଷିତ କରିବା ତଥା ଅସାଧୁ ବିଲ୍ଡରଙ୍କ କବଳରୁ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ ଗଢ଼ା ହୋଇଥିବା ରାଜ୍ୟ ରିୟଲ୍‌ ଇଷ୍ଟେଟ୍‌ ନିୟନ୍ତ୍ରଣକାରୀ ପ୍ରାଧୀକରଣ (ଓରେରା) ଏବେ ପଙ୍ଗୁ ପ୍ରାୟ । କାରଣ ଏହାର ଏକ ପ୍ରମୁଖ ଅଙ୍ଗ ତଥା ନ୍ୟାୟିକ ମୁଖ୍ୟ ପଦବୀ ପୂରଣ ହୋଇପାରୁ ନାହିଁ । ଓରେରାର ଗଲା ସାଢ଼େ ତିନିବର୍ଷ ସମୟ ଭିତରେ ମାତ୍ର ସାଢ଼େ ପାଞ୍ଚ ମାସ ସମୟ ହିଁ ଏହି ନ୍ୟାୟିକ ଅଧିକାରୀ ପଦବୀ ପୂରଣ ହୋଇପାରିଛି । ପୁଣି ଜଣେ ଜିଲ୍ଲା ଜଜ୍‌ କ୍ୟାଡରର ଏହି ବିଚାର ବିଭାଗୀୟ ଅଧିକାରୀ ପଦବୀ ଗଲା ମେ’ ମାସରୁ ଖାଲି ପଡ଼ିଛି । ଫଳରେ ଠକ ଓ ଅସାଧୁ ବିଲ୍ଡରଙ୍କ ବିରୋଧରେ ପଡ଼ିଥିବା ମାମଲା ବିଚାର ହୋଇପାରୁ ନାହିଁ ।

Judicial Post In Odisha Rera Lying Vacant From Long Time

ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ନିୟମ ପ୍ରଣୟନ ହେବା ପରେ ୨୦୧୭ ମସିହାରେ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି  ବା ଓରେରା ଗଠନ ହୋଇଥିଲା । ଠକାମିର ଶିକାର ହୋଇଥିବା ଗ୍ରାହକ ବିଲ୍ଡରଙ୍କ ବିରୋଧରେ ଆର୍ଥିକ କ୍ଷତିପୂରଣ ପାଇଁ ଆବେଦନ କରିବା ପାଇଁ ଏଠାରେ ବ୍ୟବସ୍ଥା ରହିଛି । ଏହାକୁ ଜଣେ ବିଚାର ବିଭାଗୀୟ ଅଧିକାରୀ ଶୁଣାଣି କରି ନ୍ୟାୟ ପ୍ରଦାନ କରିବା କ୍ଷମତା ମଧ୍ୟ ଆଇନରେ ରହିଛି । କିନ୍ତୁ ସୂଚନା ଅଧିକାର ଆଇନ୍ ଦ୍ୱାରା ମିଳିଥିବା ତଥ୍ୟ କିଛି ଅଲଗା ବୟାନ କରୁଛି । ସୂଚନା ଅଧିକାର କର୍ମୀ ବିଶ୍ୱରଞ୍ଜନ ମିଶ୍ରଙ୍କୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଏକ ନ୍ୟାୟିକ ଅଧିକାରୀଙ୍କ ପଦବୀ ସ୍ଥାୟୀ ଭାବେ ପୂରଣ ହୋଇପାରୁ ନାହିଁ ।

Judicial Post In Odisha Rera Lying Vacant From Long Time

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏଥିପ୍ରତି ନିଘା ଦେଉନାହିଁ । ଏହି ତଥ୍ୟ ଅନୁସାରେ ବିଭାଗ ପକ୍ଷରୁ ପ୍ରାଧୀକରଣ ଗଠନ ହେବାର ପ୍ରାୟ ଅଢ଼େଇ ବର୍ଷ ପରେ ନ୍ୟାୟିକ ଅଧିକାରୀ ପଦବୀ ପୂରଣ କରାଯାଇଥିଲା । ସେ ପୁଣି ନଭେମ୍ବର ୨୦୧୯ରୁ ମେ ୨୦୧୯ ଯାଏ କାର୍ଯ୍ୟ କରିଛନ୍ତି । ଏହି ସମୟ ଭିତରେ ତାଙ୍କ ପାଖକୁ ଆସିଥିବା ୩୦ଟି ମାମଲାରୁ ୧୫ଟିର ଫଇସଲା ହୋଇଛି । ଲୋକଙ୍କୁ କ୍ଷତିପୂରଣ ବି ରାୟ ହୋଇଛି । କିନ୍ତୁ ତାଙ୍କ ଅବସର ପରେ ଆଉ ସେ ପଦବୀ ପୂରଣ ହୋଇପାରୁ ନଥିବାରୁ ଦିନକୁ ଦିନ ମାମଲା ବଢ଼ି ଚାଲିଛି ।

Judicial Post In Odisha Rera Lying Vacant From Long Time

କିନ୍ତୁ ୬୦ ଦିନ ଭିତରେ ନ୍ୟାୟ ପାଇବାର ଅଧିକାର ପୂରଣ ହୋଇପାରୁ ନାହିଁ । ଅପରପକ୍ଷେ ଅଧିକାରୀ ନଥିବାରୁ ନ୍ୟାୟ ପାଇବା ଅସମ୍ଭବ ବୋଲି ଭାବି ଅନେକ ବିଲ୍ଡରଙ୍କ ଶୋଷଣ ବିରୋଧରେ ସ୍ୱର ଉଠାଇବାକୁ ବି ଡରୁଛନ୍ତି । ବିଲ୍ଡରଙ୍କ ଚକ୍ରାନ୍ତରେ ଏହି ପଦବୀକୁ ପୂରଣ କରାଯାଉ ନାହିଁ ବୋଲି ବି ଅଭିଯୋଗ ହୋଇଛି ।

Leave a Reply