ଖୋଲୁଛି ଜଜଙ୍କ କାରନାମା : ଠକେଇ, ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଘଟଣାରେ ସମ୍ପୃକ୍ତି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଖୋଲିବାରେ ଲାଗିଛି ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଅତୀତର କାରନାମା। କେତେକ ଠକେଇ, ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ଘଟଣାରେ ସେ ସମ୍ପୃକ୍ତ ଥିବା ସିବିଆଇ ଏଫଆଇଆରରେ ଦର୍ଶାଯାଇଥିଲା। ସିମ୍ଭାଓଲି ସୁଗାର୍ସର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ୨୦୧୮ରେ ସିବିଆଇ ଏଫଆଇଆରରେ  ଅଭିଯୁକ୍ତ ନମ୍ବର ୧୦ ବୋଲି ତାଙ୍କ ନାମ ସ୍ଥାନୀତ ହୋଇଥିଲା।  ୨୦୧୪ରେ ଆହ୍ଲାବାଦ ହାଇକୋର୍ଟକୁ ଜଜ ପଦକୁ ଉନ୍ନୀତ ହେବା ପୂର୍ବରୁ ୨୦୧୨ରେ ସେ ଏହି ପଦ ସମ୍ଭାଳିଥିଲେ। ତେବେ ୨୦୨୪ରେ ସିମ୍ଭାଓଲି ସୁଗାର୍ସ ଘଟଣାର ସିବିଆଇ ତଦନ୍ତ ଲାଗି ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ବର୍ମାଙ୍କୁ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବା ଲାଗି ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରିଛି ଆହ୍ଲାବାଦ ହାଇକୋର୍ଟ ଓକିଲ ସଂଘ। ତାଙ୍କ ବିରୋଧରେ ବି ବର୍ତ୍ତମାନ ଇନହାଉସ ତଦନ୍ତ ଜାରି ରହିଛି। ସିମ୍ଭାଓଲି ସୁଗାର ମିଲରେ କୃଷି ସାମଗ୍ରୀ କ୍ରୟ ଲାଗି କୃଷକମାନଙ୍କୁ ୯୭ କୋଟି ୮୫ ଲକ୍ଷ ଟଙ୍କାର ଋଣ ଦେଇଥିଲା କମ୍ପାନୀ। ଏନେଇ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ପକ୍ଷରୁ ଅଭିଯୋଗ ପରେ ୨୦୧୮ ଫେବୃଆରୀରେ ମିଲ୍ ବିରୋଧରେ ସିବିଆଇରେ ମାମଲା ପଞ୍ଜିକୃତ ହୋଇଥିଲା।

ଏହି କ୍ଷେତ୍ରରେ ବ୍ୟାପକ ଜାଲିଆତି ନେଇ ଅଭିଯୋଗ ହୋଇଥିଲା। ସିବିଆଇ ଏଫଆଇଆରରେ ଯେଉଁ ୧୨ ଜଣକ ନାମ ସ୍ଥାନୀତ ହୋଇଥିଲା ସେଥିରେ ଅଭିଯୁକ୍ତ ନମ୍ବର ୧୦ ଥିଲେ ଜଷ୍ଟିସ ବର୍ମା। ମାତ୍ର କିଛି ଦିନ ପରେ ଏଫଆଇଆରରୁ ଜଷ୍ଟିସ ବର୍ମାଙ୍କ ନାମ କାଟିଦିଆଯାଇଥିଲା। ଜଷ୍ଟିସ ବର୍ମାଙ୍କ ଘରୁ ବିପୁଳ ଟଙ୍କା ଜବତ କରିବା ପରେ ତାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଗତ ମାର୍ଚ୍ଚ ୨୧ରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ଫେରାଇବାକୁ ସୁପାରିଶ କରିଥିଲେ। ଜଷ୍ଟିସ୍ ବର୍ମାଙ୍କୁ ଅକ୍ଟୋବର ୨୦୨୧ରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଥିଲା।

ନଜର ପକାନ୍ତୁ