ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ପ୍ରକଳ୍ପ ରାଜନୀତି, ମହାରାଷ୍ଟ୍ର ମୁହାଁ JSW

1 min read

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ଡବଲ ଧକ୍କା। ଓଡ଼ିଶା ବଦଳରେ ମହାରାଷ୍ଟ୍ରରେ ହେବ JSW EV କାରଖାନା। ରାଜ୍ଯରୁ ଫେରିଯିବ ୪୦ ହଜାର କୋଟି ଟଙ୍କାର ମେଗା ପୁଞ୍ଜି ନିବେଶ। ୧୧ ହଜାର ନିଯୁକ୍ତିର ସ୍ବପ୍ନ ରହିଗଲା ସ୍ବପ୍ନରେ। ଆଗକୁ ମହାରାଷ୍ଟ୍ର ନିର୍ବାଚନ ଥିବାରୁ ଆରମ୍ଭ ହୋଇଛି ପ୍ରକଳ୍ପ ଖେଳ। ଗୁଜରାଟ ପରେ ମହାରାଷ୍ଟ୍ରକୁ ଅକ୍ତିଆର କରିବା ଲାଗି ଯୋଜନା। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଯେପରି କିଛି ମେଗା ପ୍ରକଳ୍ପକୁ ମହାରାଷ୍ଟ୍ରରୁ ଗୁଜରାଟ ନିଆଯାଇଥିଲା ଠିକ୍ ସେପରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଛାଡି ମହାରାଷ୍ଟ୍ରମୁହାଁ ହୋଇଛି ଜେଏସଡବ୍ଲୁ।

ଓଡ଼ିଶାରେ ୪୦ ହଜାର କୋଟି ଟଙ୍କାର ଇଭି ପ୍ରକଳ୍ପ ଲାଗି ଗତ ଫେବୃଆରୀରେ JSW ସହ ପୂର୍ବତନ ନବୀନ ସରକାରଙ୍କ ଚୁକ୍ତି ହୋଇଥିଲା। କମ୍ପାନୀ ଲାଗି ସମସ୍ତ ସୁବିଧା ଯୋଗାଇଥିଲେ ନବୀନ ସରକାର। କଟକ ନରାଜ ଓ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ପର୍ଯ୍ୟାପ୍ତ ଜମି, ବିଦ୍ଯୁତ, ଜଳ, ପୁଞ୍ଜି ସବସିଡି ଆଦି ଯୋଗାଇବା ଲାଗି ଚୁକ୍ତିରେ ରହିଥିଲା ବ୍ଯବସ୍ଥା। କମ୍ପାନୀକୁ ଆଖିଦୃଶିଆ ପ୍ଯାକେଜ ସତ୍ତ୍ବେ ପ୍ରକଳ୍ପ ପ୍ରତିଷ୍ଠା ହୋଇ ପାରି ନଥିଲା। ଏହି ପ୍ଯାକେଜରେ କଟକ ନରାଜଠାରେ ୧୧ ଶହ ଏକର ଜମିକୁ ରିହାତି ଦରରେ ଯୋଗାଇବାକୁ ସରକାର ଘୋଷଣା କରିଥିଲେ। ସେହିପରି ୨୨୦ କେଭି ବିଦ୍ଯୁତ ଓ ୧୦ କ୍ଯୁସେକ ମହାନଦୀ ଜଳ ଲାଗି ବି ଚୁକ୍ତିନାମାରେ ରହିଥିଲା। ଏହା ସହ ପ୍ରକଳ୍ପ ମୂଲ୍ଯର ୨୦ ପ୍ରତିଶତ ୫ ବର୍ଷ ଲାଗି ପୁଞ୍ଜି ସବସିଡି ପାଇଁ ବି ସରକାର ଘୋଷଣା କରିଥିଲେ।

୨୦୨୨ ଗୁଜରାଟ ନିର୍ବାଚନ ପୂର୍ବରୁ ଫକ୍ସକନ ଓ ଏୟାରବସ୍ ପ୍ରକଳ୍ପକୁ ମହାରାଷ୍ଟ୍ରରୁ ଗୁଜରାଟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଜିନ୍ଦଲ ଇଭି ପ୍ରକଳ୍ପ ମହାରାଷ୍ଟ୍ରର ଔରଙ୍ଗାବାଦ ଓ ନାଗପୁରରେ ପ୍ରତିଷ୍ଠା ହେବାକୁ ଯାଉଛି। ଗତ ଅଗଷ୍ଟରେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍ଯ୍ୟାଳୟ ଘୋଷଣା କରିଥିଲା ରାଜ୍ଯରେ କିଛି ବଡ଼ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଯେଉଁଥିରେ ନାଗପୁରରେ JSW ୨୫ ହଜାର କୋଟି ଟଙ୍କାର ଲିଥିୟମ ବ୍ଯାଟେରୀ ପ୍ରକଳ୍ପ କରିବ ବୋଲି ସେ ଘୋଷଣା କରିବା ସହ ଏଥିରେ ୫ ହଜାର ଲୋକ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଥିଲେ। ତେବେ ପ୍ରକଳ୍ପ ସ୍ଥାନାନ୍ତର ହେବା ଖବର ଶୁଣି ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି । ଇଭି ପ୍ରକଳ୍ପ ସ୍ଥାନାନ୍ତର ଦ୍ବାରା ରାଜ୍ଯର ଅଭିବୃଦ୍ଧିକୁ ଏକ ବଡ଼ ଧକ୍କା ବୋଲି କୁହଯାଉଛି ।