ହଟ୍ଟଗୋଳ ମଧ୍ୟରେ ସଂସଦରେ ଉପସ୍ଥାପିତ ହେଲା ୱାକଫ୍ ବିଲ୍ ଉପରେ ଜେପିସି ରିପୋର୍ଟ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସଂସଦରେ ଉପସ୍ଥାପିତ ହେଲା ୱାକଫ୍ ବିଲ୍ ଉପରେ ଜେପିସି ରିପୋର୍ଟ । ଆଜି ସଂସଦର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ପ୍ରଥମେ ରାଜ୍ୟସଭା ପରେ ଲୋକସଭାରେ ଉପସ୍ଥାପିତ ହୋଇଛି ଜେପିସି ରିପୋର୍ଟ । ହେଲେ ରାଜ୍ୟସଭାରେ ଜେପିସି ରିପୋର୍ଟ ଉପସ୍ଥାପନ ହେବା ମାତ୍ରେ ରିପୋର୍ଟକୁ ବିରୋଧ କରି ବିରୋଧୀ ଗୃହରେ ହଙ୍ଗାମା କରିଥିଲେ ।

ୱାକଫ୍ ବିଲର ଡ୍ରାଫ୍ଟରେ ଗୁରୁତର ସାମ୍ବିଧାନିକ ତ୍ରୁଟି ଓ ଅସଙ୍ଗତି ରହିଥିବା କହି ବିରୋଧୀ ହଙ୍ଗାମା କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଏହି ରିପୋର୍ଟରେ ଅନେକ କାଣ୍ଟ ଛାଣ୍ଟ କରାଯାଇଛି । ଏହି ରିପୋର୍ଟ ସମ୍ପୂର୍ଣ୍ଣ ନୁହେଁ । ସେଥିପାଇଁ ଏହାକୁ ପୁଣି ଥରେ ଜେପିସିକୁ ପଠାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ସେପଟେ ରିପୋର୍ଟରୁ କିଛି ହଟାଯାଇ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

ରାଜ୍ୟସଭାରେ ଜେପିସି ରିପୋର୍ଟ ଉପସ୍ଥାପନ ବେଳେ ବିରୋଧ କରି ରାଜ୍ୟସଭାରୁ ବାହାରକୁ ଚାଲିଯାଇଥିଲେ ବିରୋଧୀ । ସେହିପରି ଲୋକସଭାରେ ୱାକଫ୍ ବିଲ୍ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ । ରିପୋର୍ଟ ଉପସ୍ଥାପନ ବେଳେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପରେ କକ୍ଷତ୍ୟାଗ କରି ବିରୋଧୀ ଦଳ ବାହାରକୁ ଚାଲିଯାଇଥିଲେ ।

ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହ କହିଛନ୍ତି, ଆମ ଦଳର ଏହି ରିପୋର୍ଟ ଉପରେ କୌଣସି ଆପତ୍ତି ନାହିଁ । ବିରୋଧୀ ଦଳ ଜେପିସି ରିପୋର୍ଟ ଉପରେ ନିଜର ଆପତ୍ତି ଦାଖଲ କରିବା ଉଚିତ । ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପିତ ଏହି ରିପୋର୍ଟକୁ ଗତ ଛଅ ମାସ ଧରି ନିରନ୍ତର ବୈଠକ ପରେ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ । ରିପୋର୍ଟରେ ବିରୋଧୀଙ୍କ ପରାମର୍ଶ ସାମିଲ କରିବା ନେଇ ଜିଦ ଧରିଛନ୍ତି ବିରୋଧୀ ।