ପଶ୍ଚିମବଙ୍ଗ ଗସ୍ତରେ ଜେପି ନଡ୍ଡା: ଆଜିଠୁ ଆରମ୍ଭ ବିଜେପିର ପରିବର୍ତ୍ତନ ଯାତ୍ରା

ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସିକୁ ଟକ୍କର ଦେବାକୁ ପୂରା ଦମରେ ଲାଗି ପଡ଼ିଛି ବିଜେପି। ପଶ୍ଚିମବଙ୍ଗରେ ଘନ ଘନ ପ୍ରଚାର ସାଙ୍ଗକୁ ଦିଦିଙ୍କ ବିରୋଧରେ ଆରମ୍ଭ ହୋଇଛି ରଣନୀତି। ଗଡ଼ ଦଖଲ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆଜିଠୁ ବିଜେପି ପଶ୍ଚିମବଙ୍ଗରେ ପରିବର୍ତ୍ତନ ଯାତ୍ରା କରୁଛି। ପଶ୍ଚିମବଙ୍ଗର ନଦିଆରୁ ନଡ୍ଡା ବିଜେପିର ‘ପରିବର୍ତ୍ତନ ଯାତ୍ରା’ ଆରମ୍ଭ କରିବେ। ଏହାପୂର୍ବରୁ ନଡ୍ଡା ମାଳଦାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି, ଯେଉଁଠି ସେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।
ପଶ୍ଚିମବଙ୍ଗର ମାଲଦା ଠାରେ ଅନୁଷ୍ଠିତ ରାଲିକୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି, ‘ଜାନୁଆରୀ ୧୦ ରେ ମୁଁ କୃଷକ ସହଯୋଗ ଏବଂ ସୁରକ୍ଷା ଅଭିଯାନ ଆରମ୍ଭ କରିଥିଲି। ଆମେ କହିଥିଲୁ ଯେ ପ୍ରାୟ ୪୦ ହଜାର ଗାଁରେ ଆମର ଏହି କାର୍ଯ୍ୟକ୍ରମ ହେବ। ମୁଁ ଖୁସି ଯେ ଆଜି ୩୫ ଲକ୍ଷ କୃଷକ ଏହି କୃଷକ ସୁରକ୍ଷା ଅଭିଯାନରେ ଯୋଗ ଦେଇଛନ୍ତି।
ଜେପି ନଡ୍ଡା ଆହୁରି କହିଛନ୍ତି, ‘ପଶ୍ଚିମବଙ୍ଗର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସାମମାନ ନିଧି ଯୋଜନାର ଲାଭରୁ ବଞ୍ଚିତ କରାଯାଇଛି। କିନ୍ତୁ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଚାଷୀଙ୍କୁ ଆମେ ପ୍ରଧାନମନ୍ତ୍ରୀ କିସାନ ସାମମାନ ନିଧି ଯୋଗାଇଦେବୁ। ଆମେ ତାଙ୍କୁ ଅଟକାଇବୁ ନାହିଁ। କିନ୍ତୁ ମମତା ଦିଦି, ‘ପକ୍ଷୀ କ୍ଷେତକୁ ଗ୍ରାସ କଲାପରେ କ’ଣ ତୁମେ ବର୍ତ୍ତମାନ ଅନୁତାପ କରୁଛ କି?’ ଏହାବ୍ୟତୀତ ନଡ୍ଡା ଆହୁରି କହିଛନ୍ତି ଯେ ଏଥର ପଶ୍ଚିମବଙ୍ଗରେ ନିଶ୍ଚିତ ଭାବରେ ପଦ୍ମ ଫୁଟିବ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ। ସେ କହିନ୍ତି ଯେ ପଶ୍ଚିମବଙ୍ଗର ଲୋକମାନେ ମମତା ଦିଦିଙ୍କୁ ଶାସନ ଗାଦିରୁ ବିଦା କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି।
ଅନ୍ୟପଟେ ଆଜିଠୁ ପଶ୍ଚିମବଙ୍ଗରେ ଜନ ସମର୍ଥନ ଯାତ୍ରାର ଶୁଭାରମ୍ଭ କରିଛି ଟିଏମସି। ନଦିଆ ଜିଲ୍ଲାରୁ ଦୁଇ ଦିନିଆ ଜନ ସମର୍ଥନ ଯାତ୍ରା କରିଛି ତୃଣମୂଳ କଂଗ୍ରେସ । ଏହି ଜନ ସମର୍ଥନ ଯାତ୍ରା ଛପ୍ରାରୁ ଆରମ୍ଭ ହୋଇ ତ୍ରିବେଣୀ, କୃଷ୍ଣନଗର ଦେଇ ପଲାଶିରେ ଶେଷ ହେବ।