ଜେପି ହସ୍ପିଟାଲରେ ଭଙ୍ଗାରୁଜା ଅଭିଯୋଗରେ ୪ ଜଣ ଗିରଫ

ରାଉରକେଲା: ରାଉରକେଲା ଦାଣ୍ଡିଆପାଲି ଜେପି ହସ୍ପିଟାଲରେ ଭଙ୍ଗାରୁଜା ଅଭିଯୋଗରେ 4 ଅଭିଯୁକ୍ତ ଗିରଫ । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ 17 ତାରିଖ ଦିନ ଘଟିଥିଲା ଘଟଣା । ସଡକ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଯୁଵକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁକୁ କେନ୍ଦ୍ର କରି ହସ୍ପିଟାଲରେ ଵ୍ୟାପକ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ ।

ହସ୍ପିଟାଲର ଝରକା, କବାଟ, ଟିଭି ଓ କମ୍ପ୍ୟୁଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ହୋଇଥିଲା ଆକ୍ରମଣ । ଶହେରୁ ଅଧିକକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଆଜି 4 ଜଣଙ୍କୁ ଗିରଫ କରିଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ପକ୍ଷରୁ ପୋଲିସ ଡ଼ିଜି, ରାଉରକେଲା ଏସପି ଓ ଡିଆଇଜିଙ୍କ ନିକଟରେ ଦାବି କରାଯାଇଛି ।