ଖବର ସାଜିଲେ ଖବରଦାତା, କୋଭିଡରେ ଆଖିବୁଜିଲେ ଅମଜଦ ବାଦଶାହ

1 min read

ଭୁବନେଶ୍ୱର: ପୁଣି ଜଣେ ସାମ୍ବାଦିକଙ୍କୁ ଛଡାଇ ନେଲା କୋଭିଡ । ପ୍ରତିଷ୍ଠିତ ତଥା ବରିଷ୍ଠ ସାମ୍ବାଦିକ ଅମଜଦ ବାଦଶାହଙ୍କ କରୋନାରେ ଆଜି ମୃତ୍ୟୁ ଘଟିଛି । କିଛିଦିନ ତଳେ ଅମଜଦଙ୍କ ଠାରେ କୋଭିଡ ଲକ୍ଷଣ ଦେଖା ଦେବା ପରେ ସେ କରୋନା ଟେଷ୍ଟ କରାଇଥିଲେ । ପରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ଅମଜାଦଙ୍କୁ ରାଉରକେଲାସ୍ଥିତ ଜୟପ୍ରକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

 

ପଶ୍ଚିମ ଓଡିଶାରେ ଜନ୍ମଗ୍ରହଣ କରିଥିବା ଅମଜଦ ବାଦଶାହା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ । ପରେ ରାଜ୍ୟର ଅନେକ ଅଗ୍ରଣୀ ଟେଲିଭିଜନରେ ସାମ୍ବାଦିକ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ସରଳ ଏବଂ ମିଷ୍ଟଭାଷୀ ମଣିଷ ଭାବେ ପରିଚିତ ଅମଜାଦଙ୍କ ଦେହାନ୍ତରେ ସମଗ୍ର ସାମ୍ବାଦିକ ଜଗତରେ ଶୋକ ବାର୍ତ୍ତା ଖେଳିଯାଇଛି । ଅନେକ ନେତା ଓ ମନ୍ତ୍ରୀ ଅମଜାଦଙ୍କ ମୃତ୍ୟୁରେ ଗଭୀର ଶୋକବାର୍ତ୍ତା ଜଣାଇବା ସହ ପରିବାର ବର୍ଗଙ୍କୁ ମଧ୍ୟ ସ୍ୱାନ୍ତନା ଦେଇଛନ୍ତି ।

 

୨୦୦୫ରେ ଇଟିଭିରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ ଝାରସୁଗୁଡାର ଅମଜାଦ ବାଦଶାହା । ଏହାପରେ ରାଜ୍ୟର ବହୁ ଅଗ୍ରଣୀ ଗଣମାଧ୍ୟମରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଅମଜଦ । ବିଭିନ୍ନ ପ୍ରସଙ୍ଗରେ ରୋକଠୋକ କହୁଥିବା ସାମ୍ବାଦିକ ଥିଲେ ଅମଜଦ । ଦି ସୋସିଓକ୍ରାଟ ଓ ଏନଏଫଟିଭିର କନସଲଟିଂ ଏଡିଟର ଭାବେ ଦାୟିତ୍ବ ତୁଲାଉଥିଲେ । ଅନେକଙ୍କ ଖବର ଲେଖୁଥିବା ଅମଜାଦ ଆଜି ନିଜେ ପାଲଟିଯାଇଛନ୍ତି ଖବର । ବାଦଶାହ ଟକ୍ସ ନାମକ ୟୁଟ୍ୟୁବ ଚାନେଲ ଖୋଲି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପାନ କରୁଥିଲେ । ଦେଶ-ବିଦେଶ ଖବର ଉପରେ ଅଧିକ ରୁଚି ରଖୁଥିଲେ ଅମଜଦ ।

  ପରିବେଶ ସୁରକ୍ଷା ସଂପର୍କିତ ତାଙ୍କର ଅନେକ ଆର୍ଟିକିଲ ଜାତୀୟ ପତ୍ରିକା ଡାଉନ ଟୁ ଅର୍ଥରେ ପ୍ରକାଶ ପାଇଛି । ଡେଭଲପମେଣ୍ଟ ରିପୋର୍ଟିଂରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଗୁଗୁଲ ନ୍ୟୁଜ ଇନିସିଏଟିଭର ପୋଲ ଚେକ୍ କାର୍ଯ୍ୟକ୍ରମରେ ମିଡିଆ ସଂସ୍ଥାର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ ଅମଜଦ । ଗତ ୭ ତାରିଖରେ କୋଭିଡ ପଜିଟିଭ ସଂପର୍କରେ ଫେସବୁକରେ କରିଥିଲେ ଶେଷ ପୋଷ୍ଟ । ଏହି ପୋଷ୍ଟରେ ସେ ଲେଖିଥିଲେ, ସେ ପଜିଟିଭ ହୋଇଥିବା କାରଣରୁ କୋଭିଡ ପ୍ରୋଟୋକଲ ମାନି ହୋମ୍ ଆଇସୋଲେସନରେ ରହୁଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ନିଜ ସତର୍କତାରେ ରୁହନ୍ତୁ । ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।

ଅମଜାଦଙ୍କ ପରିବାର ସାରା ଓଡିଶାରେ ପରିଚିତ । ସାମ୍ପ୍ରଦାୟିକ ସଦଭାବନାର ଏକ ନିଛକ ଉଦାହରଣରେ ସୃଷ୍ଟି କରିଛି ଅମଜାଦଙ୍କ ପରିବାର । ଝାରସୁଗୁଡାର ରେମାଣ୍ଡ ଗାଁରେ ଆୟୋଜିତ ରଥଯାତ୍ରାରେ ଅମଜାଦଙ୍କ ପରିବାର ମୁଖ୍ୟ ସଦସ୍ୟ ଛେରା ପହଁରା କରନ୍ତି । ଏହି ପରମ୍ପରା ବହୁ ବର୍ଷରୁ ଚାଲି ଆସୁଛି । ଅମଜଦ ବାଦଶାହଙ୍କ ମୃତ୍ୟୁ ଓଡିଶା ସାମ୍ବାଦିକ ଜଗତ ତଥା ମିଡିଆ ଅଧ୍ୟାପନା ଜଗତ ପାଇଁ ବହୁ ବଡ କ୍ଷତି । ଅମଜଦଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି ।

 କିଛିଦିନ ତଳେ କରୋନାରେ ଗଞ୍ଜାମ ଜିଲ୍ଲାର ୨ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । ଏକ ୱେବ ଚ୍ୟାନେଲରେ କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା ଏବଂ ଏକ ଦୈନିକ ଖବରକାଗଜର ଚିକିଟି ପ୍ରତିନିଧି ଭାବେ କାର୍ଯ୍ୟରତ ଯୁବ ସାମ୍ବାଦିକ ମନୋଜ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା ।

Leave a Reply