ଗଛରେ ପିଟି ହେଲା ଇନୋଭା, ‘ସକାଳ’ ଖବରକାଗଜର ସାମ୍ବାଦିକଙ୍କ ସମେତ ୩ ମୃତ

ବଲାଙ୍ଗୀର: ବଲାଙ୍ଗୀର ଦେଓଗାଁ ସାଗରପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡିକାଲକୁ ସ୍ଥାନାନ୍ତର ବେଳେ ମୃତ୍ୟୁ ବରଣ କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଜଣେ ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜର ଓ ଆଉ ଜଣେ ‘ସକାଳ’ ଦୈନିକ ଖବରକାଗଜର ଡାବୁଗାଁ ପ୍ରତିନିଧି ରହିଛନ୍ତି । ଏହାସହ ଦୁର୍ଘଟଣାସ୍ଥଳରୁ ମେଡିକାଲକୁ ସ୍ଥାନାନ୍ତର ବେଳେ ସାମ୍ବାଦିକଙ୍କ ବାପାଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ମୃତ ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜର ହେଉଛନ୍ତି ରାକେଶ ହେମ୍ବ୍ରମ । ସକାଳ ଖବରକାଗଜ ସାମ୍ବାଦିକ ହେଉଛନ୍ତି ସତ୍ୟଜିତ ମାଦଳା । ସାମ୍ବାଦିକଙ୍କ ବାପା ହେଉଛନ୍ତି ଘସିରାମ ମାଦଳା । ତେବେ ଗାଡି ଡ୍ରାଇଭର ଭୀମ ହରିଜନକୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାସ୍ତରିତ କରାଯାଇଛି । ୪ ଜଣ ଗୋଟିଏ ଇନୋଭା କାର୍‌ରେ ନବରଙ୍ଗପୁର ଡ଼ାବୁଗାଁରୁ ଭୁବନେଶ୍ୱର ଯାଉଥିଲେ । ଭୋର ୪ଟା ସମୟରେ ସାଗରପାଲି ଛକ ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଇନୋଭାଟି ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇ ଯାଇଥିଲା ।

ସେହିଭଳି ରାୟଗଡାଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଡମ୍ବସରା ନିକଟରେ ବୋଲେରୋ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁଣୁପୁର ଦମକଳ ବାହିନୀ ଘଟଣାସ୍ଥଳରୁ ଗୁରୁତରଙ୍କ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାପରେ କ୍ଷତି ପୁରଣ ଦାବି ନେଇ ସ୍ଥାନୀୟ ଲୋକେ ଗୁଣୁପୁର ପଦ୍ମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ଖବରପାଇ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ ।

Leave a Reply