ଭୋଟ ବାକ୍ସ ଲୁଟ୍ ବେଳେ ଫଟୋ ଉଠାଇବାରୁ ସାମ୍ୱାଦିକଙ୍କୁ ମାଡ଼ ମାରିଲେ

ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ନିର୍ବାଚନୀ ହିଂସା । ସାମ୍ବାଦିକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଭୋଟ୍ ବାକ୍ସ ଛଡ଼ାଇ ନେବାବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଦୁର୍ବୃତ୍ତ । ପୋଲିସ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ବି ଯାଜପୁର ଜିଲ୍ଲାରେ ଗଣ୍ଡଗୋଳ ଏବଂ ହିଂସା ପରିଲକ୍ଷିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ଅଘଟଣ ଘଟିଥିବାର ଖବର ମିଳିଛି। ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ କୋରେଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରାଯିବା ସହ ମତଦାନ କେନ୍ଦ୍ର ଆଗରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ କୋରେଇ ବିଡିଓଙ୍କୁ ଆକ୍ରମଣ କରିଛନ୍ତି।
ଏହାଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଠାରେ ଥିବା ୮,୯,୧୦ଓ୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାଯାଇଛି।