spot_img

Latest Posts

ଦୁଲୁକୁଛି ଢେଙ୍କାନାଳ ଯୋରନ୍ଦାର ମହିମା ପୀଠ

ଢେଙ୍କାନାଳ: ଦୁଲୁକୁଛି ଢେଙ୍କାନାଳ ଯୋରନ୍ଦାର ମହିମା ପୀଠ। ୩ ଦିନ ହେଲା ଚାଲିଥିବା ମାଘମେଳାର ଆଜି ଅନ୍ତିମ ଦିନ ହେଇଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଝାଡ଼ଦୀପ ପ୍ରଜ୍ବଳନ ସହ ଖଞ୍ଜଣି ଭଜନ ଓ ମହିମା ସାଧୁଙ୍କ ଧୁନୀରେ ସୃଷ୍ଟି ହୋଇଛି ଆଧ୍ଯାତ୍ମିକ ପରିବେଶ । ମୀନାବଜାର ଓ ପଲ୍ଲିଶ୍ରୀ ମେଳାରେ ସଂଧ୍ଯା ନଇଁରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳୁଛି।

ଝାଡ଼ଦୀପର ଝଟକୁଛି ମହିମାଗାଦି । ଧୁନୀ ସହ ଖଞ୍ଜଣୀ ଭଜନରେ ମୁଖରିତ ଅଲେଖ ପୀଠ । ଯୋରନ୍ଦା ମାଘମେଳାରେ ସୃଷ୍ଟି ହୋଇଛି ଆଧ୍ଯାତ୍ମିକ ପରିବେଶ । ୩ ଦିନ ହେଲେ ଚାଲିଛି ମାଘମେଳା । ଅନ୍ତିମ ଦିନରେ ୪ ଦ୍ବାରରେ ଝାଡ଼ଦୀପ ପ୍ରଜ୍ବଳନ ସହ ଘୃତାହୂତି ଦେଇ ଶୂନ୍ଯବ୍ରହ୍ମଙ୍କ ଉଦ୍ଦେଶ୍ଯରେ ପ୍ରାର୍ଥନା କରୁଛନ୍ତି ମହିମା ସାଧୁ। ଚଳିତବର୍ଷ ଖାଲି ଓଡ଼ିଶା ନୁହେଁ ମଧ୍ଯପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରୁ ଆସିଛନ୍ତି ମହିମା ସାଧୁ। ଲକ୍ଷାଧିକ ସଂଖ୍ଯାରେ ଶ୍ରଦ୍ଧାଳୁ ଗାଦି ମନ୍ଦିରରେ ପହଞ୍ଚି ସାଧୁଙ୍କ ଆଶିଷ ନେଉଛନ୍ତି ।

ଶେଷଦିନରେ ମହିମା ପୀଠରେ ବସିଛି ଧର୍ମସଭା । ଏହି ସଭାରେ ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ସମସ୍ତ ସାଧୁ ଏକତ୍ରିତ ହୋଇ ଶୂନ୍ଯବ୍ରହ୍ମଙ୍କୁ ପ୍ରାର୍ଥନା କରିଛନ୍ତି । ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ମେଳା ପରିସରରେ ବୁଲି ସ୍ଥିତି ଅନୁଧ୍ଯାନ କରିଛନ୍ତି । ଚଳିତବର୍ଷ ପ୍ରଥମ କରି ଯୋରନ୍ଦା ଯାତ୍ରାରେ ଓରମାସ ପକ୍ଷରୁ ୩୨ଟି ଷ୍ଟଲ କରା ଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀର ସାମଗ୍ରୀ ବିକ୍ରିବଟା ସାଙ୍ଗକୁ ମୀନା ବଜାରରେ ଜମିଛି ଭିଡ଼ । ଚଳିତବର୍ଷ ପ୍ରଥମ କରି ମେଳା ପଡ଼ିଥିବାରୁ ବିକ୍ରିବଟା ଭଲ ହୋଇଥିବା କହିଛନ୍ତି ଏସଏଚଜି ସଦସ୍ଯା । ୩ ଦିନ ଧରି ମାଘମେଳା ପାଇଁ ଦୁଲୁକିଛି ମହିମା ପୀଠ । ଏହାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୬୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ଆଗାମୀ ବର୍ଷ ଯାତ୍ରାରେ ମହିମା ଗାଦିର ନବକଲେବର ରୂପ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ । ଏଥିପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ସାଧୁ ଓ ସ୍ଥାନୀୟ ବାସିନ୍ଦା ।

 

Latest Posts

Don't Miss