ରାଣୀ ପଣ୍ଡାଙ୍କ କାର ନେଲା ଯୁବକଙ୍କ ଜୀବନ, ଡ୍ରାଇଭରକୁ ଅଟକ ରଖିଲା ପୋଲିସ

ଭୁବନେଶ୍ବର: ରାଣୀ ପଣ୍ଡାଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱରରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ସତମାଇଲ ଯାଉଥିବା ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତାର ଡାଳଖାଇ ଛକରେ ତାଙ୍କ କାର ସହ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଆଠଗଡ଼ ରାଜନଗର ଗାଁର ସୁକାନ୍ତ ବେହେରା । ସୁକାନ୍ତଙ୍କ ମୃତ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁକାନ୍ତ ଓ ଆଉ ଜଣେ ଯୁବକ ଜଙ୍ଗଲିଆ ରାସ୍ତାରେ ମୋଟର ସାଇକେଲରେ ଯାଉଥିବା ବେଳେ କାର ସହ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ରାଣୀ ପଣ୍ଡା ଉପସ୍ଥିତ ଥିବା ବେଳେ ଆହତ ଯୁବକଙ୍କ ସଂପର୍କୀୟ ମାନେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ କାର ଡ଼୍ରାଇଭରକୁ ଆଠଗଡ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।