ବଢୁଛି ଚୀନର ଆଧିପତ୍ୟ, ଡ୍ରାଗନକୁ ଟକ୍କର ଦେବେ ଆସିଆନ ରାଷ୍ଟ୍ରଗୋଷ୍ଠୀ

ନୂଆଦିଲ୍ଲୀ: ଚୀନକୁ ଟକ୍କର ଦେବେ ଆସିଆନ ରାଷ୍ଟ୍ରଗୋଷ୍ଠୀ । ପ୍ରଥମ ଥର ଲାଗି ଦକ୍ଷିଣ ଚୀନ୍ ସାଗରରେ ମିଳିତ ସାମରିକ ଡ୍ରିଲ ଲାଗି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଇଣ୍ଡୋନେସିଆ ସାମରିକ ମୁଖ୍ୟ ୟୁଦୋ ମାର୍ଗୋନୋ । ବାଲିରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ମିଳିତ ସମରାଭ୍ୟାସରେ ଜୁଣ୍ଟା ଶାସିତ ମିଆଁମାର ବି ସାମିଲ ହେବ । ତେବେ ଏହି ସମରାଭ୍ୟାସ ସାମୁଦ୍ରିକ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ଉପରେ ଫୋକସ୍ କରାଯିବ ଏବଂ ଲଢେଇ ସଂକ୍ରାନ୍ତ ଅପରେସନର ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି କୁହାଯାଇଛି । ଆସିଆନ ସଦସ୍ୟ ରାଷ୍ଟ୍ର ଯଦିଓ ଆମେରିକା ସହ ନାଭାଲ ଡ୍ରିଲ କରିସାରିଛନ୍ତି ତଥାପି ଏକ ବ୍ଲକ ହିସାବରେ ମିଲିଟାରୀ ଏକ୍ସରସାଇଜ କେବେ କରିନାହାନ୍ତି ।

ଫିଲିପାଇନ୍ସର ଏକ ଜାହାଜ ସହ ଏବଂ ଆମେରିକାର ଏକ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ନିକଟରେ ଚୀନର ଏକ ଫାଇଟର ଜେଟର ଟକ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତେଜିତ ହୋଇଥିଲା ଆମେରିକା । ଏହି ଦୁଇଟି ଘଟଣା ପରେ ପରେ ମିଳିତ ସମରାଭ୍ୟାସ କରିବା ଲାଗି ଆସିଆନ ସଦସ୍ୟ ରାଷ୍ଟ୍ର ନିଷ୍ପତ୍ତି ନେଇଛନ୍ତି । ଇଣ୍ଡୋନେସିଆର ନର୍ଥ ନାତୁନାରେ ବି ଚୀନର ବିଭିନ୍ନ ଜାହାଜ ବାରମ୍ବାର ପ୍ରବେଶ କରୁଥିବାରୁ ଉଦବେଗ ପ୍ରକାଶ କରିଥିଲେ ଆସିଆନ ରାଷ୍ଟ୍ର । ଆସିଆନ ରାଷ୍ଟ୍ର ଗୋଷ୍ଠୀରେ ଅଛନ୍ତି ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମ୍ୟାଲେସିଆ, ମିଆଁମାର, ଫିଲିପାଇନସ୍, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ ।