ଓଡ଼ିଶାର ୩୮ହଜାର ଛାତ୍ରଛାତ୍ରୀ ଦେବେ ଜେଇଇ ମେନ୍ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ

1 min read

ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ଆଜିଠୁ ଜେଇଇ ମେନ୍ ପରୀକ୍ଷା ।  ୬ଦିନ ବ୍ୟାପି ଚାଲିବ ଜେଇଇ ମେନ୍ ପରୀକ୍ଷା । ତେବେ କରୋନା କଟକଣା ଭିତରେ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସାରା ଦେଶର ଛାତ୍ରଛାତ୍ରୀମାନ ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ଅଟଳ ରହି ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ଘୋଷଣା କରିଥିଲେ ।  ୨୬ଟି କେନ୍ଦ୍ରରେ ୩୮ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ବାଲେଶ୍ୱର ଭଳି ସହରରେ ମୋଟ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସୁପରିଚାଳନା ଓ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ଯାତାୟତ ସୁବିଧା ସହିତ ରହଣୀ ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସୁରକ୍ଷା ଦୃଷ୍ଟିରୁ ପ୍ରତିଟି କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି । ବିଭିନ୍ନ କେନ୍ଦ୍ରର ତଦାରଖ ପାଇଁ ସ୍ଥାନୀୟ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । କୌଣସୀ ପରୀକ୍ଷାର୍ଥୀଙ୍କ ଯେପରି କିଛି ଅସୁବିଧା ନହେବ ସେନଇ ବିଶେଷ ଦୃଷ୍ଟି ଦେଇଛନ୍ତି ରାଜ୍ୟସରକାର। ସେପଟେ ଆସନ୍ତା ୧୩ ତାରିଖରେ ସର୍ବଭାରତୀୟସ୍ତରରେ ହେବ NEET ପରୀକ୍ଷା । ଏଥିପାଇଁ ରାଜ୍ୟରେ ୭ଟି ସହରରେ ମୋଟ ୮୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୭ହଜାର ପରୀକ୍ଷାର୍ଥୀ । ଯାହାକୁ NTA ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବ ।

Leave a Reply