ଅଭିଯୋଗକାରୀଙ୍କୁ ୧୫ ନିୟୁତ ଡଲାର ଗଣିବ ଜନସନ୍ ଆଣ୍ଡ ଜନସନ

1 min read

ନୂଆଦିଲ୍ଲୀ : ଅଡୁଆରେ ଜନସନ ଆଣ୍ଡ ଜନସନ । ଦଶନ୍ଧି ଧରି ଏହି କମ୍ପାନୀର ପାଉଡର ବ୍ଯବହାର କରି କର୍କଟ ରୋଗର ଶିକାର ହୋଇଥିବା ଜଣେ ବ୍ଯକ୍ତିଙ୍କ ଅଭିଯୋଗ କ୍ରମେ ୧୫ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆମେରିକା କନେକ୍ଟିକଟର ଏହି ବ୍ଯକ୍ତିଜଣକ ମେଜୋଥେଲିଓମାରେ ପୀଡିତ ଥିବା ଜଣାପଡିଥିଲା । କମ୍ପାନୀର ବେବି ପାଉଡରକୁ ବ୍ଯବହାର କରି ଇଭାନ ପ୍ଲଟକିନ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ଚିକିତ୍ସା ପରେ ଜଣାଯାଇଥିଲା ଯେ, ବେବି ପାଉଡର ବ୍ଯବହାର କରି ସେ ଅସୁସ୍ଥ ହୋଇଛନ୍ତି । ଏନେଇ ଗତ ୨୦୨୧ରେ ସେ କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ମାମଲାର ବିଚାର କରି କନେକ୍ଟିକଟ ସୁପିରିଅର କୋର୍ଟ ୧୫ ନିୟୁତ ଡଲାର କ୍ଷତିପୂରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅନ୍ଯାନ୍ୟ ଦେୟ ଦେବାକୁ ବି କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲଟକିନଙ୍କ ଓକିଲ ବେନ ବ୍ରାଲି କହିଛନ୍ତି- ଜନସନ ଆଣ୍ଡ ଜନସନକୁ ପୁଣି ଥରେ କୋର୍ଟ ଦୋଷୀସାବ୍ଯସ୍ତ କରିଛନ୍ତି । ଏହି ପାଉଡରରେ ଆଜବେଷ୍ଟସ ଥିବା ଜାଣିବା ସତ୍ତ୍ବେ କମ୍ପାନୀ ଏହି ପାଉଡରର ମାର୍କେଟିଂ ଓ ବିକ୍ରି କରୁଥିଲା । ସେପଟେ କୋର୍ଟଙ୍କ ଏହି ରାୟରେ ତ୍ରୁଟି ରହିଛି ଏବଂ କମ୍ପାନୀ ଏହା ବିରୋଧରେ ଆବେଦନ କରିବ ବୋଲି କହିଛନ୍ତି କହିଛନ୍ତି କମ୍ପାନୀର ଉପସଭାପତି ଏରିକ ହାସ୍ ।

ପାଉଡରର ବିଜ୍ଞାନଭିତ୍ତିକ ଗବେଷଣା ପରେ ଏହା ସ୍ବାସ୍ଥ୍ଯ ଲାଗି ନିରାପଦ ଥିବା ପ୍ରମାଣିତ ହୋଇସାରିଛି ବୋଲି ସେ କହିଛନ୍ତି । କେବଳ ଏହି ମାମଲା ନୁହେଁ, ପାଉଡର ବ୍ଯବହାର କରିବା ଯୋଗୁ ଓଭାରିଆନ ଓ ଅନ୍ଯାନ୍ୟ ଗାଇନୋକୋଲିଜିକାଲ କ୍ଯାନସରରେ ପୀଡ଼ିତ ହୋଇଛନ୍ତି ବୋଲି ୬୨ ହଜାରରୁ ଅଧିକ ଲୋକ କମ୍ପାନୀ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି କ୍ଷତିପୂରଣର ପରିମାଣ ୯ ବିଲିୟନ ଡଲାର ହେବ । ପାଉଡରରେ ଆଜବେଷ୍ଟସ ପରି ଏକ କର୍କଟରୋଗ ସୃଷ୍ଟିକାରୀ ଏଜେଣ୍ଟ ରହିଛି ଯାହାକି ମେଜୋଥେଲିଓମା ପରି ଏକ ପ୍ରକାର ମାରାତ୍ମକ କର୍କଟ ରୋଗ ସୃଷ୍ଟି କରିଥାଏ । ଗତ ୨୦୨୦ରେ ଆମେରିକୀୟ ବଜାରରୁ ପାଉଡର ପ୍ରତ୍ଯାହାର କରିଥିଲା ଜନସନ ଆଣ୍ଡ ଜନସନ ।