ନନ୍ଦିଘୋଷ ବ୍ୟୁରୋ: ସର୍ବସାଧରଣ ହେଲେ ଆମେରିକାର ବହୁଚର୍ଚ୍ଚିତ ପୂର୍ବତନ ରାଷ୍ଟ୍ରପତି ଜନ ଏଫ. କେନେଡିଙ୍କ ହତ୍ୟା ସମ୍ପର୍କିତ ଅବଶିଷ୍ଟ ଫାଇଲ। ୧୯୬୩ରେ ଘଟିଥିବା ହତ୍ୟାକାଣ୍ଡର ଫାଇଲ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଥିଲେ ନୂଆ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ପ୍ରାୟ ୬୦ ବର୍ଷ ପରେ ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ଫାଇଲ ପ୍ରକାଶିତ ହୋଇଛି। ଏହା ସହ ମାର୍ଟିନ ଲୁଥର କିଙ୍ଗ୍ ଜୁନିଅରଙ୍କ ହତ୍ୟା ସମ୍ପର୍କିତ ଦସ୍ତାବିଜ ପ୍ରକାଶିତ ହୋଇଛି। ଆମେରିକା ନ୍ୟାସନାଲ ଆର୍କାଇଭ୍ସ ଆଣ୍ଡ ରେକର୍ଡ୍ସ ଆଡମିନିଷ୍ଟ୍ରେସନର ୱେବସାଇଟରେ ପୂର୍ବରୁ ସ୍ଥାନୀତ ହୋଥିଲା ୬୦ ଲକ୍ଷ ପୃଷ୍ଠାର ରେକର୍ଡ, ଫଟୋଗ୍ରାଫ, ମୋସନ ପିକ୍ଚର, ସାଉଣ୍ଡ ରେକର୍ଡିଂ ଆଦି ତଥ୍ୟ। ବର୍ତ୍ତମାନର ନୂଆ ନିର୍ଦ୍ଦେଶନାମା ଅନୁସାରେ ଆଉ ୮୦ ହଜାର ଫାଇଲ ରିଲିଜ ହୋଇଛି। ଗବେଷକମାନେ ଦାବି କରୁଛନ୍ତି ୩ ହଜାରରୁ ଅଧିକ ରେକର୍ଡ ଆଂଶିକ କିମ୍ବା ସାମଗ୍ରିକ ଭାବେ ପ୍ରକାଶିତ ହୋଇଛି। ଏଫବିଆଇ କହିଛି- ହତ୍ୟାକାଣ୍ଡ ନେଇ ୨ ହଜାର ୪୦୦ ନୂଆ ରେକର୍ଡର ସନ୍ଧାନ କରାଯାଇଛି। ଗତ ୧୯୬୩ ନଭେମ୍ବର ୨୨ ତାରିଖରେ କେନେଡିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବିଗତ ୧୯୬୩ ନଭେମ୍ବର ୨୨ରେ ଡଲାସରେ କେନେଡିଙ୍କୁ ଗୁଳି କରି ହତ୍ୟା କରିଥିଲେ ଲି ହାର୍ଭେ ଓସୱାଲଡ। ହତ୍ୟାକାଣ୍ଡର ୨ ଦିନ ପରେ ଓସୱାଲଡକୁ ଜେଲରୁ ସ୍ଥାନାନ୍ତର କରାଯାଉଥିବାବେଳେ ଏକ ନାଇଟକ୍ଲବ ମାଲିକ ଜ୍ୟାକ ରୁବି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାର ସମସ୍ତ ନଥିକୁ ଜାତୀୟ ଅଭିଲେଖାଗାରରେ ରଖିବା ଲାଗି ୧୯୯୦ ଦଶକରେ ନିଷ୍ପତ୍ତି ହୋଇଥିଲା।

