ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଗଲେ ବାଇଡେନ

1 min read

ଓ୍ୱାଶିଂଟନ : ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ସେ ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଏହି ନିଷ୍ପତ୍ତି ଜଣାଇଛନ୍ତି ବାଇଡେନ୍ । ବାଇଡେନ କହିଛନ୍ତି, ଦଳ ଏବଂ ଆମେରିକାର ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ରାଷ୍ଟ୍ରପତି ଦୌଡ଼ରୁ ଓହରିଯାଉଛି। ଏଥିସହିତ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ସେ ଉପରାଷ୍ଟ୍ରପତି କମଳା ହାରିସ ନାଁ ସୁପାରିସ କରିଛନ୍ତି।

ବାଇଡେନ ନିର୍ବାଚନରୁ ଓହରିଯିବାକୁ ଦଳର ବରିଷ୍ଠ ନେତାମାନେ ସପ୍ତାହେ ହେଲା ପ୍ରବଳ ଚାପ ସୃଷ୍ଟି କରୁଥିଲେ। ଏପରିକି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନ ଓହରିଯାଆନ୍ତୁ ବୋଲି ଖୋଲାଖୋଲି ବୟାନ ଦେଇଥିଲେ । ତେବେ ବାଇଡେନଙ୍କୁ ତାଙ୍କ ପରିବାର ସଦସ୍ୟ ଓ ବରିଷ୍ଠ ନେତା ମିଳିତ ଭାବେ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ପରାମର୍ଶ ଦେବାପରେ ସେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏବେ ଦେଶରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତତା ବୃଦ୍ଧି ପାଇବାରେ ଲାଗିଛି । ଗୁଳିମାଡ଼ ଘଟଣା ତାଙ୍କ ପ୍ରତି ସମବେଦନାର ଲହର ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଇଡେନ ଟ୍ରମ୍ପ୍ଙ୍କୁ ଆଉ ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ନିଜ ଦଳର ଅନେକ ନେତା ବୟାନ ଦେଇଥିଲେ । ଏହାଛଡ଼ା ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବାଇଡେନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିଲା । ସେ ମଞ୍ଚରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ନଜିର ରହିଥିଲା । ଗତ ଜୁନ୍ ମାସରେ ବିତର୍କରେ ବାଇଡେନଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା ।ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ଲାଗି ବାଇଡେନଙ୍କ ନିଷ୍ପତ୍ତିରେ ଖୁସି ପ୍ରକାଶ କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ନିର୍ବାଚନରେ ଏବେ କମଳା ହାରିସଙ୍କୁ ହରାଇବା ସହଜ ହେବ।

କାହିଁକି ଓହରିଲେ ବାଇଡେନ :

୮୧ ବର୍ଷ ବୟସ୍କ ବାଇଡେନଙ୍କୁ ନେଇ ଡେମୋକ୍ରାଟିକ ଦଳରେ ଥିଲା ଅସନ୍ତୋଷ । ଦେଶରେ ଅତ୍ଯଧିକ ମୁଦ୍ରାସ୍ଫୀତି କାରଣରୁ ବାଇଡେନ ଲୋକପ୍ରିୟତା ହରାଇଥିଲେ । ବୟସ ଓ ମାନସିକ ସୁସ୍ଥତା ପ୍ରସଙ୍ଗରେ ବିଭିନ୍ନ ମହଲରୁ ସେ ଟାର୍ଗେଟରେ ଥିଲେ । ଇସ୍ରାଏଲ-ହମାସ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ରୋଷର ଶିକାର ହୋଇଥିଲେ। ଏହାଛଡ଼ା ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ଯ ପ୍ରତ୍ଯାହାର ଘଟଣା ନେଇ ନିନ୍ଦିତ ହୋଇଥିଲେ । ଜୁନରେ ହୋଇଥିବା ବିତର୍କରେ ଦଳୀୟ ଶିବିରରେ ହୋଇଥିଲେ ଭର୍ତ୍ସିତ ହୋଇଥିଲେ ବାଇଡେନ ।ପବ୍ଲିକ ପଲିସି ପୋଲିଂ ପକ୍ଷରୁ ବାଇଡେନଙ୍କ ବିପକ୍ଷରେ ରହିଥିଲା ରିପୋର୍ଟ ।ଡେମୋକ୍ରାଟିକ ଦଳର ସାଂସଦମାନେ ତାଙ୍କ ସପକ୍ଷରେ ନଥିଲେ । କୋଭିଡରେ ପୀଡିତ ପରେ ବାଇଡେନଙ୍କ ସ୍ବାସ୍ଥ୍ଯକୁ ନେଇ ସସପେନ୍ସ ଘନୀଭୂତ ହୋଇଥିଲା ।