ୟୁକ୍ରେନ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

କିଏଭ: ୟୁକ୍ରେନ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନ ଯାଇ ଋଷ୍ କରିଥିବା କ୍ଷତିକୁ ନିଜ ଆଖିରେ ଦେଖିବେ ବାଇଡେନ୍ । ଏନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ଖାରକିଭରେ ଋଷ୍ ସେନା ଗତକାଲି ଆକ୍ରମଣ କରିବା ପରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ଜେଲେନସ୍କି ନିନ୍ଦା କରିବା ସହ ପାଶ୍ଚାତ୍ୟ ଦେଶକୁ ଚୁପ୍ ନବସିବା ପାଇଁ ଅପିଲ୍ କରିଛନ୍ତି । ଏଥିସହ ବାଇଡେନଙ୍କୁ ୟୁକ୍ରେନ୍ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ଏପଟେ ମାରିୟୁପୋଲକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି ଋଷିଆ । ଯୁକ୍ରେନ ସେନାର ପ୍ରବଳ ପ୍ରତିରୋଧ ସତ୍ତ୍ବେ ଏହି ସହର ଋଷିଆର ନିୟନ୍ତ୍ରଣକୁ ଯାଇଛି । ମାରିୟୁପୋଲରେ ଥିବା ୟୁକ୍ରେନର ସୈନ୍ୟଙ୍କୁ ଆତ୍ମସମର୍ପଣର ପ୍ରସ୍ତାବ ଦେଇଥିଲା ଋଷିଆ । କିନ୍ତୁ ତାଙ୍କ ଦେଶର ସୈନ୍ୟମାନେ ଆତ୍ମସମର୍ପଣ କରିବେ ନାହିଁ ବୋଲି ୟୁକ୍ରେନର ଜଣେ ସାଂସଦ କହିଛନ୍ତି । ସେମାନେ ଶେଷ ଯାଏଁ ଲଢେଇ କରିବେ ବୋଲି ସେ କହିଛନ୍ତି । ୟୁକ୍ରେନ୍ ସେନା ଏବେବି ସେଠାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଛନ୍ତି । ମାରିୟୁପୋଲ କବଜା ପାଇଁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ସହରରେ ଥିବା ଯୁକ୍ରେନ ସୈନ୍ୟଙ୍କୁ ଯଦି ହତ୍ୟା କରାଯାଏ, ତାହାହେଲେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆଉ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ।