ବାଇଡେନଙ୍କ ଘରୁ ମିଳିଲା ପୁଳା ପୁଳା ସିକ୍ରେଟ ଡକ୍ୟୁମେଣ୍ଟ

ଓ୍ବାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଜୋ ବାଇଡେନଙ୍କ ବାସଭବନରୁ ମିଳିଲା ଗୁପ୍ତ ନଥିପତ୍ର । ଯାହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆମେରିକାରେ ପୁଣି ଥରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ପୂର୍ବରୁ ବାଇଡେନଙ୍କ ଓ୍ବିଲମିଙ୍ଗଟନ ବାସଭବନରୁ ମିଳିଥିବା ସିକ୍ରେଟ ଡକୁମେଣ୍ଟଠାରୁ ଏହା ବହୁତ ଅଧିକ ବୋଲି ସୂଚନା ମିଳିଛି । ବାଇଡେନଙ୍କ ବାସଭବନ ସମେତ ଓ୍ବାସିଂଟନ ସ୍ଥିତି ତାଙ୍କ ପୂର୍ବ କାର୍ଯ୍ୟାଳୟରୁ ମିଳିଥିବା ସିକ୍ରେଟ ଡକ୍ୟୁମେଣ୍ଟ ସଂଖ୍ୟା ୨୦ରୁ ଅଧିକ ବୋଲି କୁହାଯାଇଛି । ଏହି ମାମଲାର ଯାଞ୍ଚ କରିବାକୁ ହ୍ବାଇଟ ହାଉସ ତରଫରୁ ଜଣେ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ, ବାଇଡେନ ତାଙ୍କ ଓ୍ବିକେଣ୍ଡ ଡେଲାଓ୍ବେର ସ୍ଥିତ ବାସଭବନରେ କାଟିଥାନ୍ତି । ହ୍ବାଇଟ ହାଉସ ଓକିଲ ଶନିବାର କହିଥିଲେ, ଗତ ବୁଧବାର ରାତିରେ ବାଇଡେନଙ୍କ ଗ୍ୟାରେଜ ପାଖ ରୁମରୁ ଏକ ସିକ୍ରେଟ୍ ଡକ୍ୟୁମେଣ୍ଟ ମିଳିଥିଲା । ସେତେବେଳେ ବାଇଡେନଙ୍କ ଓକିଲ ସୁରକ୍ଷାକୁ ନେଇ ଅନୁମତି ନଦେବାରୁ ଯାଞ୍ଚ ବନ୍ଦ ହୋଇଯାଇଥିଲା ।

ହ୍ବାଇଟ ହାଉସ ଓକିଲ ରିଚାର୍ଡ ସୋବେର କହିଛନ୍ତି, ବାଇଡେନଙ୍କ ପୁସ୍ତକାଳୟ ଯାଞ୍ଚ ବେଳେ ୬ଟି ଗୁପ୍ତ ନଥିପତ୍ର ମିଳିଛି । ପୂର୍ବରୁ ସେଠାରୁ ଗୋଟିଏ ଚିଠି ମିଳିଥିବା କୁହାଯାଇଥିଲା । ଏହାବାଦ, ଡିସେମ୍ବରରେ ବାଇଡେନଙ୍କ ଗ୍ୟାରେଜ ଓ ନଭେମ୍ବରରେ ଓ୍ବାସିଂଟନ ସ୍ଥିତ ତାଙ୍କ ପୂର୍ବ କାର୍ଯ୍ୟାଳୟ ପେନ୍ ବାଇଡେନ ସେଣ୍ଟରରୁ ମଧ୍ୟ ସିକ୍ରେଟ ଡକ୍ୟୁମେଣ୍ଟ ମିଳିଥିଲା ।

ସୂଚନାଯୋଗ୍ୟ, ମିଳିଥିବା ସିକ୍ରେଟ ଡକ୍ୟୁମେଣ୍ଟ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବାଇଡେନ ଉପରାଷ୍ଟ୍ରପତି ଥିବା ବେଳର । ଯଦିଓ ଡକ୍ୟୁମେଣ୍ଟ ସମ୍ପର୍କରେ କିଛି ସୂଚନା ଦିଆଯାଇନି, ତଥାପି ସମସ୍ତ ଡକ୍ୟୁମେଣ୍ଟକୁ ଜବତ କରାଯାଇଛି ।

ଟ୍ରମ୍ପଙ୍କ ଘରୁ ମିଳିଥିଲା ସିକ୍ରେଟ ଡକ୍ୟୁମେଣ୍ଟ

ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘରୁ ସିକ୍ରେଟ୍ ଡକ୍ୟୁମେଣ୍ଟ ମିଳିଥିଲା । ଏଥିରେ ଅନ୍ୟ ଏକ ଦେଶର ପରମାଣୁ କ୍ଷମତା ସମ୍ପର୍କରେ ଉଲ୍ଲେଖ ଥିଲା । ତେବେ ସମ୍ପୃକ୍ତ ଦେଶର ନାଁ ହ୍ବାଇଟ୍ ହାଉସ୍ ସର୍ବସାଧାରଣ କରିନଥିଲା ।