ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଜୋ ବାଇଡେନ, ଆସନ୍ତାବର୍ଷ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ରହିଛି ସାମର୍ଥ୍ୟ

ଓ୍ୱାଶିଂଟନ: ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ସମର୍ଥ ବାଇଡେନ । ୮୦ ବର୍ଷ ବୟସ୍କ ବାଇଡେନ ରାଷ୍ଟ୍ରପତି ହେବା ଲାଗି ସକ୍ଷମ କି ନୁହେଁ ସେନେଇ ବିତର୍କ ଚାଲିଥିବାବେଳେ  ଡାକ୍ତରଙ୍କ ଦ୍ବାରା ଫିଟ୍ ଫର ଡ୍ୟୁଟି ଘୋଷିତ ହୋଇଛନ୍ତି ବାଇଡେନ । ତାଙ୍କର ଶାରୀରିକ ଓ ସ୍ନାୟବିକ ସ୍ଥିତି ସଠିକ୍ ରହିଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ରିପୋର୍ଟରେ କୁହାଯାଇଛି ରାଷ୍ଟ୍ରପତି ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ, କମାଣ୍ଡର ଇନ ଚିଫ ଭାବେ ରାଷ୍ଟ୍ରର ଦାୟିତ୍ବ ନେବା ବାଇଡେନଙ୍କ ପକ୍ଷେ ସମ୍ଭବ । ସେ ନିଜର ସମସ୍ତ ଦାୟିତ୍ବ ସଠିକ୍ ଭାବେ ତୁଲାଇପାରିବେ ।

ଯଦି ଆସନ୍ତାବର୍ଷ ନିର୍ବାଚନରେ ବାଇଡେନ ବିଜୟ ଲାଭ କରନ୍ତି ତେବେ ସେ ହେବେ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବାଇଡେନଙ୍କ ସ୍ବାସ୍ଥ୍ୟ ସେବା ଯାଞ୍ଚ ଲାଗି ଓ୍ବାଲଟର ରିଡ୍ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଣ୍ଟରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ସ୍ବଳ୍ପ ସମୟ ଲାଗି କ୍ଷମତା ହସ୍ତାନ୍ତର କରିବା ପରେ ଗତବର୍ଷ ନଭେମ୍ବରରେ ବାଇଡେନଙ୍କ ହୋଇଥିଲା ଫିଜିକାଲ ଟେଷ୍ଟ । ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ବିରୋଧୀ ରିପବ୍ଲିକାନ ଦଳ ପକ୍ଷରୁ ସମାଲୋଚନା କରାଯାଉଥିବା କାରଣରୁ ପୁଣି ଥରେ ଏହି ଟେଷ୍ଟ କରିଛନ୍ତି ବାଇଡେନ । ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ହେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।