ପାକିସ୍ତାନକୁ ଜୋରଦାର ଝଟ୍‌କା, ବାଇଡେନ କହିଲେ ବିଶ୍ବର ଭୟଙ୍କର ରାଷ୍ଟ୍ର

1 min read

ଇସଲାମାବାଦ: ବିଶ୍ବର ଭୟଙ୍କର ରାଷ୍ଟ୍ର ପାକିସ୍ତାନ । ପ୍ରଥମ ଥର ପାକିସ୍ତାନକୁ ଜୋରଦାର ସମାଲୋଚନା କରି ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବିଭିନ୍ନ ରାଷ୍ଟ୍ର ସହ ତିକ୍ତତା ବଜାୟ ରଖି ପରମାଣୁ ଅସ୍ତ୍ର ନିଜ ପାଖରେ ରଖିଛି ପାକିସ୍ତାନ । କାଲିଫର୍ଣ୍ଣିଆରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଷିଛନ୍ତି ବାଇଡେନ । କେବଳ ପାକିସ୍ତାନ ନୁହେଁ ଚୀନ ଏବଂ ଋଷକୁ ବି ଟାର୍ଗେଟ କରିବାକୁ ସେ ପଛାଇ ନାହାନ୍ତି ।

ଆମେରିକାର ବୈଦେଶିକ ନୀତି ସମ୍ପର୍କରେ ଉଲ୍ଲେଖ କରି ଭ୍ଲାଦିମିର ପୁଟିନଙ୍କ ଋଷ ଓ ଚୀନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ବାଇଡେନ । ହେଲେ ବିଶ୍ବର ଭୟଙ୍କର ରାଷ୍ଟ୍ର ଭାବେ ପାକିସ୍ତାନକୁ ବିବେଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ଏଭଳି ମନ୍ତବ୍ୟ ହୁଏତ ପାକିସ୍ତାନ ଶେହବାଜ ଶରିଫ ସରକାର ଓ ଆମେରିକାର ତିକ୍ତ ସମ୍ପର୍କକୁ ସଜାଡିପାରେ ବୋଲି ଅନୁମାନ କରାଯାଉଛି । ଜାତୀୟ ସୁରକ୍ଷା ନୀତିକୁ ନେଇ ଆମେରିକା ଏକ ତଥ୍ୟ ରିଲିଜ କରିଛି । ୪୮ ପୃଷ୍ଠା ସମ୍ବଳିତ ଏହି ଡକ୍ୟୁମେଣ୍ଟରେ ପାକିସ୍ତାନକୁ ସ୍ଥାନ ଦେଇନାହିଁ ଆମେରିକା ।

ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ବାଇଡେନ କହିଛନ୍ତି- ବିଶ୍ବ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ତେବେ ଏଥିଲାଗି କୌଣସି ବ୍ୟକ୍ତିବିଶେଷ ବା ଗୋଟିଏ ରାଷ୍ଟ୍ର ଦାୟୀ ନୁହନ୍ତି । ପାକିସ୍ତାନ ପରି ଏକ ରାଷ୍ଟ୍ର ବିଶ୍ବର ସବୁଠାରୁ ଅଧିକ ଭୟଙ୍କର ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଏହି ରାଷ୍ଟ୍ର ନିକଟରେ କୌଣସି ଅଙ୍ଗୀକାର ବିନା ଆଣବିକ ଅସ୍ତ୍ର ରହିଛି । ସାରା ବିଶ୍ବର ଦୃଷ୍ଟି ଆମ ଉପରେ ରହିଥିବ ଏକ ଛୋଟିଆ କଥା ନୁହଁ । ଏପରିକି ଆମର ଶତ୍ରୁମାନେ ମଧ୍ୟ ଆମର ଭୂମିକା ଉପରେ ନଜର ରଖିଛନ୍ତି । ସେ ପରୋକ୍ଷ ଭାବେ ଋଷକୁ ମଧ୍ୟ ସମାଲୋଚନା କରିଛନ୍ତି ।