ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୧୧ ଜଣଙ୍କୁ କୋର୍ଟ ଚାଲାଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାର ୪ ଦିନ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଉଭୟ ଗୋଷ୍ଠୀର ମୋଟ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯୋଡ଼ା ପୋଲିସ । ବଡ଼ବିଲ ଜେଏମଏଫସିରେ ହାଜର ପରେ ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି । ତେବେ ଆଜି ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରିଥିଲା ପ୍ରସାଶନ ।
ପରିସ୍ଥିତି ଅନୁଧ୍ୟାନ ପରେ ଆସନ୍ତାକାଲି ପୁଣି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାମନବମୀରେ ଯୋଡ଼ା ମାର୍କେଟ ହନୁମାନ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା, ପଥର ମାଡ଼ ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଥିଲେ । ଯାହାକୁ ନେଇ ଉତ୍ତେଜନାମୂଳକ ସ୍ଥିତି ଉପୁଜି ଥିଲା । ଉତ୍ତ୍ୟକ୍ତ ଲୋକେ ବାଇକ ଭଙ୍ଗାରୁଜା, କରିବା ସହ ପୋଲିସ ଗାଡ଼ି ଉପରକୁ ଟେକା ପଥର ଫିଙ୍ଗିଥିଲେ ।