ବାଇକ ଓ କାରକୁ ପିଟିଲା ଟ୍ରେଲର : ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଯୋଡ଼ା ଥାନା ୫୨୦ ଜାତୀୟ ରାଜପଥ ବିଲେଇପଦା ଛକରେ ଆଜି ସକାଳେ ବାଇକ ଓ କାରକୁ ପିଟିଲା ଟ୍ରେଲର । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟଜଣେ ଗୁରୁତର ହୋଇଛନ୍ତି । କାରରେ ଯାଉଥିବା ୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ବାଇକ ଆରୋହୀ କେନ୍ଦୁଝର ସିଜୁକଳା ଅଞ୍ଚଳର ପରମେଶ୍ଵର ମହାନ୍ତ । ବିଲେଇପଦା ଛକ ନିକଟରେ ଟ୍ରେଲରଟି ପ୍ରଥମେ ବାଇକକୁ ଧକ୍କା ଦେଇ ଆଗରେ ଯାଉଥିବା ଏକ ଭିଟାରା କାରକୁ ଜୋରଦାର ଟକ୍କର ମାରିଥିଲା । ଯାହାଫଳରେ କାରଟି ଆଗରେ ଯାଉଥିବା ଏକ ଟ୍ରକରେ ପିଟି ହୋଇଥିଲା । କାରର ଆଗ ଏବଂ ପଛ ଭାଗ ସମ୍ପୂର୍ଣ୍ଣ ଭାବରେ ଚୁରମାର୍ ହୋଇଯାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଯୋଡ଼ା ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।