ଟାଟା କମ୍ପାନୀ ନାଁରେ ମିଛ ନିଯୁକ୍ତି ମାମଲା: ଇଡିରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପଙ୍କ ଝିଅ

ଭୁବନେଶ୍ୱର: ଟାଟା ନାଁ ରେ ମିଛ ନିଯୁକ୍ତି ମାମଲା । ଇଡିରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଓକିଲଙ୍କ ଜରିଆରେ ଇଡି କାର୍ଯ୍ୟାଳୟରେ ସମୟ ମାଗିଲେ ପ୍ରଦୀପଙ୍କ ଝିଅ । ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା ଇଡି । ପ୍ରଥମଥର ହାଜର ନହେବାରୁ ଦ୍ୱିତୀୟ ଥର ସମନ କରିଥିଲା ଇଡି । ଗତକାଲି ପ୍ରଦୀପଙ୍କ ସମୁଦି ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଇଡିରେ ହାଜର ହୋଇଥିଲେ । ବେଆଇନ ଆର୍ଥିକ କାରବାର ନେଇ ତାଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲେ ଇଡିର ୩ଜଣ ଅଧିକାରୀ ।

 

କେଉଁ ବାବଦକୁ ଆକାଉଣ୍ଟ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା ? ପୁଅ ଆକାଶ ପାଠକଙ୍କୁ ପଠାଇଥିବା ଟଙ୍କା କାହାର ? ଏତେ ଟଙ୍କା ପୁଅ ଆକାଉଣ୍ଟକୁ କାହିଁକି ପଠାଇଥିଲେ ? ବନୀକରଣ ନାଁରେ ହେରଫେର ହୋଇଛି କି ସରକାରୀ ଅର୍ଥ ? ପଦବୀରେ ଥିବା ବେଳେ ଅପବ୍ୟବହାର ହୋଇଛି କି ସରକାରୀ ଟଙ୍କା ? ଦିନସାରା ଏଭଳି ଅନେକ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ଅଭୟ। ସେ ଆଣିଥିବା କାଗଜପତ୍ରକୁ ମଧ୍ୟ ଯାଞ୍ଚ କରିଛି ତଦନ୍ତକାରୀ ଟିମ । ପୂର୍ବରୁ ଅଭୟ କାନ୍ତ ପାଠକ, ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଥିଲା ଇଡି । ଏବେ ଯାଏଁ ଇଡି ୧୫ ଜଣଙ୍କୁ ଜେରା କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ବର୍ଷ ନଭେମ୍ବର ୨୫ତାରିଖରେ ଓଡିଶା, ମୁମ୍ବାଇ ଓ ବିହାରର ୧୨ଟି ଜାଗାରେ ଭିଜିଲାନ୍ସ ରେଡ୍‌ କରିଥିଲା। ଭିଜିଲାନ୍ସ ପାଖରୁ ସମସ୍ତ ତଥ୍ୟ ନେବାପରେ ତଦନ୍ତ କରୁଛି ଇଡି।

 

Leave a Reply