ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ: ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ଏକାଠି ହେଉଛନ୍ତି ବିଶ୍ବ ନେତା । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିବେ । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ବାଇଡେନଙ୍କ ପତ୍ନି ତଥା ଫାଷ୍ଟ ଲେଡି ଜିଲ୍ଲି ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ପରେ ବାଇଡେନ ମଧ୍ୟ ପଜିଟିଭ ଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି ।

ଏହା ପୂର୍ବରୁ ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ । G-20 ବୈଠକ ପାଇଁ ସଜେଇ ହୋଇଛି ଦିଲ୍ଲୀ କ୍ୟାପିଟାଲ । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସମେତ ବହୁ ରାଷ୍ଟ୍ରର ନେତା ଓ ପ୍ରତିନିଧି ଯୋଗଦେବେ । ଜି-୨୦ ଶିଖର ସମ୍ମିଳନୀର ବଡ ଆୟୋଜନକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ସରକାର । ସମ୍ମିଳନୀ ପାଇଁ ବଦଳିଯାଇଛି ଦିଲ୍ଲୀର ରୂପରେଖ । ଅତିଥିଙ୍କୁ ସ୍ବାଗତ କରିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ରାସ୍ତାଘାଟ ଠାରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ, ହୋଟେଲ ଆଦିକୁ ସୁନ୍ଦର ଭାବେ ସଜା ଯାଇଛି ।

ଦିଲ୍ଲୀକୁ ଅତି ଚମତ୍କାର ଭାବେ ସଜାଯାଇଛି । ଯୁଆଡ଼େ ଦେଖିବ ସେଠି ଆକର୍ଷଣୀୟ ସାଜସଜ୍ଜା । ଆଲୋକୀକରଣ ସାଙ୍ଗକୁ ରାସ୍ତା ପାର୍ଶ୍ବ, ସମ୍ମିଳନୀ ସ୍ଥଳ, ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନୂଆ ଲୁକ୍ ଦିଆଯାଇଛି । ଅତିଥିମାନେ ରହିବାକୁ ଥିବା ହୋଟେଲ, ସମ୍ମିଳନୀ ସ୍ଥଳ, ରାସ୍ତା ପାର୍ଶ୍ବ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାଖାପାଖି ସାଢେ ୭ ଲକ୍ଷ କୃତ୍ରିମ ଗଛ ଲଗାଯାଇଛି । ରଙ୍ଗ ବେରଙ୍ଗର ବିଭିନ୍ନ ଆକୃତିର ଏହି ଗଛ ଗୁଡ଼ିକ ଯେମିତି ସୁନ୍ଦର ହୋଇଛି ସେତିକି ମନଲୋଭା ବି ହୋଇଛି ।