ଦିଲ୍ଲୀ ହିଂସା ମାମଲାରେ ବଡ଼ ତଦନ୍ତ, JNU ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ
1 min read
ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ହାତଥିବା ଅଭିଯୋଗରେ ପୋଲିସ ରବିବାର ବିଳମ୍ବିତ ରାତିରେ ଜଓ୍ୱାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖାଲିଦକୁ ୧୧ ଘଣ୍ଟା ପଚରାଉଚରା ପରେ ଗିରଫ କରିଛି । ୟୁଏପିଏ ନିୟମ ଅନୁସାରେ ଉମରକୁ ଗିରଫ କରାଯାଇଛି । ଖବର ଅନୁସାରେ ହିଂସା ଘଟଣାରେ ଉମରକୁ ପ୍ରଥମେ ସମନ କରିଥିଲା ପୋଲିସ । ତେବେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି ୫୦ ଲୋକଙ୍କ ଜୀବନ ଯାଇଥିଲା ।
ଏହି ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୨ ସେପ୍ଟେମ୍ବର ଦିନ କିଛି ଘଣ୍ଟା ପାଇଁ ଉମରକୁ ପଚରାଉଚରା କରିଥିଲା । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ହିଂସା ସହିତ ଜଡ଼ିତ ଏକ ଭିନ୍ନ ମାମଲାରେ ଉମର ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏହା ସହିତ ପୋଲିସ ଉମରଙ୍କ ମୋବାଇଲ ମଧ୍ୟ ଜବତ କରିଥିଲା ।