spot_img

Latest Posts

JNUର ଆଉ ଏକ ପରିଚୟ ଜଗନ୍ନାଥ ବିଶ୍ବବିଦ୍ୟାଳୟ: ଜେଏନୟୁ କୁଳପତି

ଭୁବନେଶ୍ବର: ସବୁବେଳେ ଛାତ୍ର ଅଶାନ୍ତି ନେଇ ଚର୍ଚ୍ଚାରେ ରହୁଥିବା ଜେଏନୟୁ କ୍ୟାମ୍ପସ୍ ଏବେ ଶାନ୍ତ । ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ସର୍ବାଧିକ ଓଡ଼ିଆ ପିଲା ପଢୁଥିବାରୁ ଏହା ଜଗନ୍ନାଥ ବିଶ୍ବବିଦ୍ୟାଳୟ ଭାବେ ମଧ୍ୟ ପରିଚିତ ବୋଲି କହିଛନ୍ତି ଜେଏନୟୁ କୁଳପତି ଶାନ୍ତିଶ୍ରୀ ଧୁଲିପଡ଼ି ପଣ୍ଡିତ । ଓଡ଼ିଆ ଭାଷାର ଗବେଷଣା ଦିଗରେ ବିଜୁ ପଟ୍ଟନାୟକ ଉତ୍କର୍ଷ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ପ୍ରଶଂସା କରାଯାଇଛି । ଏଥିପାଇଁ ଓଡ଼ିଶା ସରକାର ୧୦ କୋଟି ଟଙ୍କା କର୍ପସ ଫଣ୍ଡ ଗଠନ କରିଛନ୍ତି । ଓଡ଼ିଶାର ଜେଏନୟୁ ଆଲୁମିନି ସଂଘର ବାର୍ଷିକ ଉତ୍ସବରେ ପ୍ରତିଷ୍ଠିତ ଅଧିକାରୀମାନେ ନିଜ ନିଜ ଅନୁଭୂତି ବଖାଣିଛନ୍ତି ।

ଭୁବନେଶ୍ବରରେ ଆୟୋଜିତ ହୋଇଛି ଆଲୁମିନି ସଂଘର ବାର୍ଷିକ ଉତ୍ସବ । ଏହା ଭିତରେ ଜେଏନୟୁ ପରିବେଶ କିପରି ବଦଳିଛି, କିପରି ଅଶାନ୍ତ କ୍ୟାମ୍ପସ ଏବେ ଶାନ୍ତ ହୋଇଛି, କିପରି ଏଠାରେ ଅନେକ ପାଠ୍ୟକ୍ରମ ଖୋଲିବା ସହ ଅନେକ ପ୍ରଫେସର ନିଯୁକ୍ତି ହୋଇଛନ୍ତି, ସେ ବାବଦରେ ବିସ୍ତୃତ ତଥ୍ୟ ରଖିଛନ୍ତି ଉତ୍ସବର ମୁଖ୍ୟ ଅତିଥି ଜେଏନୟୁ କୁଳପତି । ଓଡ଼ିଶା ସହ ଜେଏନୟୁର ସମ୍ପର୍କ ଖୁବ୍ ନିବିଡ଼ । ଏଥିପାଇଁ ଆଦିକବି ସାରଳା ଦାସ ଏବଂ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା କରାଯାଇଛି, ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କୁଳପତି ।

ଏହି ଅବସରରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସେମାନଙ୍କ ଜେଏନୟୁ ଜୀବନ ବିଷୟରେ ଅନୁଭୂତି ରଖିଥିଲେ । ଜେଏନୟୁରେ ପ୍ରବେଶ ପରେ ସୀତାରାମ ୟେଚୁରୀଙ୍କ ବକ୍ତବ୍ୟରେ ଆକର୍ଷିତ ହୋଇ ଏସଏଫଆଇରେ ମିଶି ୭ ଦିନ ପାଇଁ ତିହାର ଜେଲ ଯାଇଥିଲେ ବୋଲି WODC ଚେୟାରମ୍ଯାନ ଅସିତ ତ୍ରିପାଠୀ କହିଛନ୍ତି । ସେ ରହୁଥିବା ଝେଲମ ହଷ୍ଟେଲ ବିଦ୍ରୋହର କେନ୍ଦ୍ରବିନ୍ଦୁ ଥିଲା ବୋଲି ଅସିତ କହିଥିବା ବେଳେ ମିଶନ ଶକ୍ତି ତଥା ଓଡ଼ିଆ ଭାଷା ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଜେଏନୟୁର ବନ୍ଧୁତା ସବୁଠୁ ପବିତ୍ର ବୋଲି କହିଛନ୍ତି । ୧୯୯୬ରେ ସୁଜାତା କାର୍ତ୍ତିକେୟନ ମଧ୍ୟ ଜେଏନୟୁରେ ରାଜନୈତିକ ସମାବେଶରେ ଯୋଗ ଦେଇଥିଲେ ଏବଂ ଫ୍ରୀ ଥିଙ୍କର୍ସ ପାର୍ଟିର ପ୍ରେସିଡ଼େନ୍ସିଆଲ ସ୍ପିଚରେ ଅନୁପ୍ରାଣୀତ ହୋଇଥିଲେ ।

ଉତ୍ସବରେ ଜେଏନୟୁରୁ ପାସଆଉଟ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ନିଜ ନିଜର ଅନୁଭୂତି ରଖିଥିଲେ । ଏଥିରେ ସାମ୍ବାଦିକ ସୌମ୍ୟଜିତ ପଟ୍ଟନାୟକ, ଟାଟା ଷ୍ଟିଲ କର୍ପୋରେଟ କମ୍ୟନିକେସନ ମୁଖ୍ୟ ଅମ୍ବିକା ନନ୍ଦ, ପ୍ରଫେସର ଆଶା ହଂସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Latest Posts

Don't Miss