ଓମିକ୍ରନର ସବଭାରିଆଣ୍ଟ ଜେଏନ-1କୁ ନେଇ ଉଦବେଗ ପ୍ରକାଶ କଲେ ସ୍ବାସ୍ଥ୍ଯ ବିଶେଷଜ୍ଞ

1 min read

ନୂଆଦିଲ୍ଲୀ: ଓମିକ୍ରନର ସବଭାରିଆଣ୍ଟ ଜେଏନ-1କୁ ନେଇ ଚେତାବନୀ। ଦେଶରେ ଏହି ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ଯା ବଢୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ଦୁଇ ପ୍ରଖ୍ଯାତ ସ୍ବାସ୍ଥ୍ଯ ବିଶେଷଜ୍ଞ। ସେପଟେ ଦେଶରେ ଗତ ୨ ସପ୍ତାହରେ ୨୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭାରତୀୟ ମେଡିକାଲ ଆସୋସିଏସନ କୋଭିଡ ଟାସ୍କଫୋର୍ସର ଉପାଧ୍ଯକ୍ଷ ଡାକ୍ତର ରାଜୀବ ଜୟଦେବନ କହିଛନ୍ତି- ଇନଫ୍ଲୁଏଞ୍ଜା ପରି ଲକ୍ଷଣ ଥିବା ସମସ୍ତ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ରୋଗୀ ହେଉଛନ୍ତି କୋଭିଡ ପଜିଟିଭ।

କେରଳର କୋଚି ଅଞ୍ଚଳରେ ଠାବ ହୋଇଥବା ସଂକ୍ରମିତଙ୍କ ପରୀକ୍ଷାରୁ ଏହି ସୂଚନା ମିଳିଛି । ଏହାର ଗୋଷ୍ଠୀଭିତ୍ତିକ ସଂକ୍ରମଣ ହେଉଛି ଏବଂ ଆଖପାଖ ଲୋକଙ୍କୁ ବ୍ଯାପୁଛି । ବର୍ତ୍ତମାନ ସୁଦ୍ଧା ଯେତିକି କୋଭିଡ ଭାରିଆଣ୍ଟ ଚିହ୍ନଟ ହେଲେଣି ସେମାନଙ୍କ ମଧ୍ଯରୁ ଜେଏନ1 ସବୁଠାରୁ ଅଧିକ ସଂକ୍ରମଣଶୀଳ ବୋଲି କହିଛନ୍ତି ଡାକ୍ତର ଜୟଦେବନ ।

ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ଯ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି- କୋଭିଡ ସଂକ୍ରମଣକୁ ଏକ ମାମୁଲି ଥଣ୍ଡା ରୋଗ ଭାବେ ଗ୍ରହଣ କରିବା ଅନୁଚିତ । ଏହି ରୋଗରେ ପଡୁଥିବା ଲୋକମାନଙ୍କ କ୍ଷେତ୍ରରେ ଦୀର୍ଘକାଳ ଲାଗି ପ୍ରଭାବ ପଡିଥାଏ ଏବଂ ସେମାନଙ୍କ ନିକଟରେ ହୃଦଘାତ, ଷ୍ଟ୍ରୋକ, ମାନସିକ ସ୍ବାସ୍ଥ୍ଯ ସମସ୍ୟା ଆଦି ପରିଲକ୍ଷିତ ହୋଇଥାଏ ।

ତେବେ ଦୁଇ ବୈଜ୍ଞାନିକଙ୍କ ମତରେ ଯଦିଓ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ତଥାପି ହସ୍ପିଟାଲରେ ଭର୍ତ୍ତି ହେବା ପରି ସମସ୍ୟା ସୃଷ୍ଟି କରିବ ନାହିଁ । ଭାରତରେ ଟିକାକରଣ ହାର ଅଧିକ ହୋଇଥିବାରୁ ଏହି ବିପଦ ନ ଆସିପାରେ । ତେବେ  ବୟସ୍କ, ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ମାସ୍କ ପରିଧାନ କରିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜେଏନ-1 ସବଭାରିଆଣ୍ଟ କେରଳ, ମହାରାଷ୍ଟ୍ର ଓ ଗୋଆରେ ୨୧ ଜଣଙ୍କୁ ସଂକ୍ରମିତ କରିଛି । ବିଭିନ୍ନ ରାଜ୍ୟ ପକ୍ଷରୁ ବି ଏଥିଲାଗି ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରସ୍ତୁତ ରହିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇସାରିଛନ୍ତି । ସେପଟେ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୨ ହଜାର ୬୬୮।