ପଦାକୁ ଆସିଲା ଆତଙ୍କବାଦୀଙ୍କ ଭିନ୍ନ ବୀଭତ୍ସ କାରନାମା, ରକ୍ତପାତ ଲାଗି ବ୍ୟବହାର କରୁଛନ୍ତି ପରଫ୍ୟୁମ ବୋମା

1 min read

ଶ୍ରୀନଗର: ପଦାକୁ ଆସିଲା ଆତଙ୍କବାଦୀଙ୍କ ଆଉ ଏକ ବୀଭତ୍ସ କାରନାମା । ରକ୍ତପାତ ଲାଗି ବ୍ୟବହାର କରୁଛନ୍ତି ପରଫ୍ୟୁମ ବୋମା । ଜାମ୍ମୁ ଓ କାଶ୍ମୀର ପୋଲିସ ପରଫ୍ୟୁମ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ ଜବତ କରିବା ପରେ ପଦାକୁ ଆସିଛି ଭୟଙ୍କର ସତ । ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ କହିଛନ୍ତି ଏହି ଧରଣର ବୋମା ପ୍ରଥମ ଥର ଲାଗି ଜବତ କରାଯାଇଛି । ଶିକ୍ଷକରୁ ଆତଙ୍କବାଦୀ ପାଲଟିଥିବା ଆରିଫ ଏକ ଯାତ୍ରୀବାହୀ ବସରେ ଦୁଇଟି ବିସ୍ଫୋରଣ ଘଟାଇଥିଲା । ଯାତ୍ରୀମାନେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବାବେଳେ ଗତ ଜାନୁଆରୀ ୨୧ରେ ଏହି ବିସ୍ଫୋରଣ ଘଟିବାରୁ ଆହତ ହୋଇଥିଲେ ୯ ତୀର୍ଥଯାତ୍ରୀ । ଆରିଫର ଘର ରିଆସି ଜିଲ୍ଲାରେ । ଜାମ୍ମୁର ନରଓ୍ବାଲରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ଖାନତଲାସି ପରେ ଆରିଫକୁ କାବୁ କରାଯାଇଥିଲା ।

ତଦନ୍ତ ପରେ ଜଣାପଡ଼ିଥିଲା ଜାନୁଆରୀ ୨୦ରେ ବସରେ ଦୁଇଟି ବୋମା ଖଞ୍ଜାଯାଇଥିଲା । ଯାତ୍ରାରମ୍ଭ ପରେ ପରେ ୨୦ ମିନଟ ବ୍ୟବଧାନରେ ୨ଟି ଯାକ ବୋମା ବିସ୍ଫୋରଣ ଘଟିଥିଲା । ବହୁ ଯାତ୍ରୀ ଯେପରି ପ୍ରାଣ ହରାଇବେ ସେଥିଲାଗି ଆରିଫ ଯୋଜନା କରିଥିଲା । ତାଠାରୁ ପୋଲିସ ଏକ ପରଫ୍ୟୁମ ଆଇଡି ଜବତ କରିଥିଲା । ଯଦି ଜଣେ ବ୍ୟକ୍ତି ଏହି ପରଫ୍ୟୁମକୁ ବ୍ୟବହାର କରିବା ଲାଗି ପ୍ରେସ କରନ୍ତି ତେବେ ତାହା ବିସ୍ଫୋରଣ ଘଟିଥାଏ । ଗତବର୍ଷ ବି ବୈଷ୍ଣୋଦେବୀ ଯାଉଥିବା ବସରେ ବିସ୍ଫୋରଣ ଘଟାଇ ୪ ଜଣଙ୍କ ମୃତ୍ୟୁର କାରଣ ସାଜିଥିଲା ଆରିଫ । ଆରିଫ ପାକିସ୍ତାନର ଲସ୍କର-ଏ-ତଏବା ସଂଗଠନର ନେତା କାସିମ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା କହିଛି ଡିଜିପି । ସେ ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ୩ଟି ପରଫ୍ୟୁମ ଆଇଇଡି ହାସଲ କରିଥିଲା । ନରଓ୍ବାଲ ବିସ୍ଫୋରଣ ଘଟଣାରେ ସେ ୨ଟି ଶିଶି ବ୍ୟବହାର କରିଥିଲା ।