ଜିଓର 4G ସିମରେ କାମ କରିବ 5G ! ଜାଣନ୍ତୁ ମାସିକ ଦେୟ କେତେ ରହିବ

1 min read

ନୂଆଦିଲ୍ଲୀ: ଶେଷ ହୋଇଛି 5G ନିଲାମ । ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି । 5G ନେଟଓ୍ବର୍କ ସେବା ପାଇବା ପାଇଁ ଏବେ ଗ୍ରାହକ ଚାହିଁ ବସିଛନ୍ତି । କୁହାଯାଉଛି 5G ସେବା ଶୀଘ୍ର ଆରମ୍ଭ ହେବ । ଚଳିତ ବର୍ଷ ଶେଷ ବେଳକୁ 5G ସେବା ଉପଲବ୍ଧ ହେବ ବୋଲି କୁହାଯାଉଛି । ଅନେକ ଟେଲିକମ୍ କମ୍ପାନୀ 5G କାମରେ ଲାଗି ପଡ଼ିଛନ୍ତି । ଜିଓ ବି ଅନେକ ଦିନ ଧରି 5G କାମରେ ଲାଗିପଡ଼ିଛି । ଜିଓ 5G କେବେ ଲଞ୍ଚ କରିବାକୁ ଯାଉଛି ଏବଂ କେଉଁ ସବୁ ସହରରେ ଏହା ପ୍ରଥମେ ଆସିବ ? ଏହାର ମୂଲ୍ୟ କେତେ ରହିବ ଜାଣନ୍ତୁ ।

ନିକଟରେ ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ, ପାନ-ଇଣ୍ଡିଆ 5G ରୋଲଆଉଟ ସହିତ କମ୍ପାନୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବ । ଏହି ସ୍ଥିତିରେ ଜିଓ 5G ଅଗଷ୍ଟ ୧୫ ଦିନ ଲଞ୍ଚ କରିବା କଥାକୁ ଏଡାଇ ଦିଆ ଯାଇ ପାରିବ ନାହିଁ । କିଛି ମେଟ୍ରୋ ସହରରେ ପାଇଲଟ ପରୀକ୍ଷା ମାଧ୍ୟମରେ 5G  ଲଞ୍ଚ କରାଯାଇପାରେ ।

ଏଥିରେ କେଉଁ ସବୁ ସହର ଆସିବେ ?

ଜିଓ ପ୍ରାୟ ୨୨ ସହରରେ 5G ସେବା ଆରମ୍ଭ କରିପାରେ । ଏହି ସହର ଗୁଡ଼ିକ ହେଉଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚଣ୍ଡିଗଡ଼ , ଚେନ୍ନାଇ, ଲକ୍ଷ୍ନୌ, ହାଇଦ୍ରାବାଦ, ଅହମଦାବାଦ ଏବଂ ଜାମନଗର ସମେତ ୯ଟି ସହର ସାମିଲ ହୋଇପାରନ୍ତି ।

କେବେ ପାଇବେ 5G ସିମ୍ ?

ଯେତେବଳେ 5G ନେଟଓ୍ବର୍କ ଆସିବ ସେତେବେଳେ 5G ସିମ୍ ବି ଉପଲବ୍ଧ ହେବ । କିନ୍ତୁ 5G ପାଇଁ 5G ସିମ୍ ଦରକାର ହେବ କି ନାହିଁ ତାହା ଏ ଯାଏ ଘୋଷଣା ହୋଇନାହିଁ । ବର୍ତ୍ତମାନ ଏହା କୁହାଯାଇପାରେ ଯେ, ଆପଣଙ୍କର ଯଦି ଜିଓ 4G ସିମ୍ ଅଛି ତାହାଲେ ବିନା କୌଣସି ସମସ୍ୟା କି ଅପଗ୍ରେଡରେ ଆପଣ 5G ସୁବିଧା ପାଇପାରିବେ ।

ଯେହେତୁ ଏ ଯାଏ  5G ସେବା ଉପଲବ୍ଧ ହୋଇନାହିଁ ଏବେ ଏହାର ଦେୟ କେତେ ରହିବ ତାହା କହିବା ଠିକ୍ ହେବ ନାହିଁ, କିନ୍ତୁ ଜିଓର 5G ପ୍ଲାନ୍ ୪୦୦ରୁ ୫୦୦ ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି ।