‘ଜିଗରା’ ନିର୍ମାତାଙ୍କ ବିରୋଧରେ ବଡ ଅଭିଯୋଗ, ଉତ୍ତର-ପୂର୍ବ କଳାକାରଙ୍କ ସହିତ ଭେଦଭାବ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରେକ୍ଷାଳୟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବେଦାଙ୍ଗ ରାଇନାଙ୍କ ଫିଲ୍ମ ‘ଜିଗରା’ ମୁକ୍ତିଲାଭ କରିଛି । କିନ୍ତୁ ରିଲିଜ୍ ପରେ ଫିଲ୍ମଟି ସେତେ ଭଲ ବ୍ୟବସାୟ କରିପାରିନଥିବା ଜଣାପଡିଛି । ରିଲିଜ ପୂର୍ବରୁ ଫିଲ୍ମଟି ବିବାଦରେ ଥିବାବେଳେ ରିଲିଜ ପରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ମଣିପୁରର ଅଭିନେତା ବିଜୁ ଥାଙ୍ଗଜାମ ଫିଲ୍ମର ନିର୍ମାତାଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ଉତ୍ତରପୂର୍ବ କଳାକାରଙ୍କୁ ଅଣଦେଖା କରିବା ସହିତ ଭେଦଭାବ କରୁଥିବା ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ବିଜୁ ଲେଖିଛନ୍ତି ଯେ ତାଙ୍କୁ ଏହି ଫିଲ୍ମରେ ଏକ ଭୂମିକା ଦିଆଯିବ କହି ଷ୍ଟାଣ୍ଡବାଇରେ ରଖାଯାଇଥିଲା । ସେଥିପାଇଁ ସେ ଅନ୍ୟାନ୍ୟ ପ୍ରୋଜେକ୍ଟ ହାତଛଡା କରିଥିଲେ । କିନ୍ତୁ ଶେଷରେ ସେ ଜିଗରା ରେ କାମ ପାଇନଥିଲେ । ନିର୍ମାତା ତାଙ୍କୁ ଭଣ୍ଡେଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ବିଜୁ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ’ ଜିଗରାରେ’ରେ ଚାଲିଥିବା ଦିବ୍ୟା ଖୋସଲା ବିବାଦ ବା ଅନ୍ୟକୌଣସି କାରଣ ପାଇଁ ମୁଁ ଏହା ଲେଖୁ ନାହିଁ। କିନ୍ତୁ ମୁଁ ମୋ ପ୍ରତି ‘ଜିଗରା’ ଟିମର ଆଚରଣକୁ ଲୋକଲୋଚନକୁ ଆଣିବା ପାଇଁ ଲେଖୁଛି । ଏହି କଥାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଁ ଗୁପ୍ତ ରଖିଥିଲି ହେଲେ ଏବେ ଭାବୁଛି ବୋଧହୁଏ ଏବେ କହିବା ପାଇଁ ଏହା ଉପଯୁକ୍ତ ସମୟ  ।

୨୦୨୩ରେ, ତାଙ୍କ ଟିମ୍ ଏକ ରୋଲ ପାଇଁ ଅଡିସନ୍ ନେବାକୁ ମୋ ପାଖକୁ ଆସିଥିଲେ  । ସେମାନଙ୍କ ନିୟମାନୁଯାୟୀ ମୁଁ ୪ ମାସରେ ଦୁଇଥର ମୋର ଅଡିସନ୍ ଟେପ୍ ପଠାଇଲି  । ନଭେମ୍ବର ଶେଷରେ ସେମାନେ ମୋତେ କହିଥିଲେ ମୁଁ ଡିସେମ୍ବରରେ ଶୁଟିଂ କରିବି । ଯଦିଓ ସେ ମୋତେ ସଠିକ ତାରିଖ କହିନଥିଲେ କିନ୍ତୁ ମୋତେ ଡିସେମ୍ବର ପାଇଁ ବୁକ୍ କରିଥିଲେ । ଏହି ଆଶାରେ ମୁଁ ମୋର ଅନ୍ୟ ପ୍ରୋଜେକ୍ଟ ରଖିନଥିଲି । ପରେ ସୁଟିଂ ବିଷୟରେ ପଚରାଯିବା ପରେ ନିର୍ମାତାମାନେ କୌଣସି ଉତ୍ତର ଦେଇନଥିବା ବିଜୁ ଉଲ୍ଲେଖ କରିଛନ୍ତି ।

ବିଜୁ କହିଛନ୍ତି ଯେ ସେ ଡିସେମ୍ବର ମାସରେ ଫିଲ୍ମର କାଷ୍ଟିଂ ଟିମ୍ ସହିତ କଥାବାର୍ତ୍ତା ଜାରି ରଖିଥିଲେ କିନ୍ତୁ ତାଙ୍କୁ କେଉଁ ତାରିଖରେ ସୁଟିଂ ହେବ ତାହା ତାଙ୍କୁ କୁହାଯାଇନଥିଲା। ଡିସେମ୍ବର ୨୬ ରେ ତାଙ୍କୁ ଶେଷ ମେସେଜ ମିଳିଥିଲାଯେ, ନିର୍ମାତାଙ୍କ ତରଫରୁ ଜବାବକୁ ଅପେକ୍ଷା କରାଯାଇଛି । ଏବଂ ଏହା ପରେ ଟିମ ତାଙ୍କ ସହ କୌଣସି ଯୋଗାଯୋଗ କରିନଥିଲେ ।

ବିଜୁ ଆହୁରି କହିଛନ୍ତି, ‘ମୁଁ ବୁଝିପାରୁଛି ବଡ ବଡ ପ୍ରଡକ୍ସନ ହାଉସ କେମିତି କାମ କରିଥାଆନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ  । ନିର୍ଦ୍ଦେଶକମାନେ ମଧ୍ୟ ବହୁତ ପ୍ରତିଭାଶାଳୀ କିନ୍ତୁ ମୋ ସହିତ ଯେଉଁ ଅଣପେଶାଦାର ଭଳି ବ୍ୟବହାର କରାଗଲା ତାହା ଦୁର୍ଭାଗ୍ୟଜନକ । ମୋ ଭଳି ଉତ୍ତର-ପୂର୍ବରୁ ଆସୁଥିବା ଅଭିନେତାମାନଙ୍କ ଏହା ରିଜେକ୍ସନ ଭଳି । ମୋର ସମୟ ନଷ୍ଟ ହେଲା ଏବଂ କାମ ମଧ୍ୟ ଗଲା । ସେମାନେ ଭାବୁଥିଲେକି ସେମାନେ ସୁଯୋଗ ଦେଲାମାତ୍ରେ ମୁଁ ରେଡି ହେଇ ରହିବି ।