ସଂଗ୍ରହ ହୋଇପାରୁନି ରକ୍ତ, ଜୀବନ ବଞ୍ଚାଉଛି ଜୀବନବିନ୍ଦୁ

ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ପଡ଼ିଛି ବ୍ଲଡ୍‌ବ୍ୟାଙ୍କ ଉପରେ । ୪ ମାସ ହେଲା ମେଗା  ଶିବିର ଆୟୋଜନ କରିବା ଉପରେ ପ୍ରତିବନ୍ଧକ ଥିବାରୁ ରକ୍ତ ଅଭାବ ଦେଖାଦେଇଛି । ତେବେ ସମସ୍ୟା ସମାଧାନରେ ବେଶ୍ ସହାୟକ ହୋଇଛି ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ।

ରାଜ୍ୟରେ ବର୍ଷକୁ ଆବଶ୍ୟକ ପ୍ରାୟ ୪ ଲକ୍ଷ ୟୁନିଟ ରକ୍ତ । ପୂର୍ବରୁ ରକ୍ତଦାନ ଶିବିର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ରକ୍ତ ବଦଳ ବ୍ୟବସ୍ଥାରେ ବର୍ଷକୁ ପ୍ରାୟ ୪ ଲକ୍ଷ ୩୦ ହଜାର ୟୁନିଟ ରକ୍ତ ସଂଗୃହୀତ ହେଉଥିଲା । ଏବେ କିନ୍ତୁ ସ୍ଥିତି ଅସ୍ୱାଭାବିକ । କୋଭିଡ କଟକଣା ଯୋଗୁ ସର୍ବାଧିକ ୨୦ ଜଣଙ୍କୁ ନେଇ ରକ୍ତଦାନ ଶିବିର କରିବା ପାଇଁ କଟକଣା ରହିଛି ।

ଗୁରୁତର ରୋଗୀଙ୍କ କ୍ଷେତ୍ରରେ ରକ୍ତ, ପ୍ଲାଜମା, ପ୍ଲାଟଲେଟ ଆଦିର ଅଭାଵ ଅନୁଭୂତ ହେଲାଣି । ଥଲାସେମିଆ ପୀଡିତଙ୍କୁ ରକ୍ତ ଯୋଗାଣ କ୍ଷେତ୍ରରେ ସମସ୍ୟା ଉପୁଜୁଛି । କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ବ୍ୟଙ୍କରୁ ଦୈନିକ ୫୦ରୁ ୭୦ ୟୁନିଟ ରକ୍ତ ଦିଆଯାଉଥିବା ବେଳେ ଏବେ ୨୦ରୁ ୨୫ ୟୁନିଟ ରକ୍ତ ଦେବା କଷ୍ଟକର ।

ରକ୍ତଭଣ୍ଡାର ମୁଖ୍ୟତଃ ବିଜେଡିର ଜୀବନବିନ୍ଦୁ, କମିଶନରେଟ ପୋଲିସର ଜୀବନ ଆଲୋକ, ମାରୱାଡି ଯୁବାମଞ୍ଚ, ରୋଟାରୀ କ୍ଲବ ସମେତ ଅନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ରକ୍ତ ସଂଗହ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟରେ ରକ୍ତ ଅଭାବର ଆଶଙ୍କା କରି ଦଳୀୟ ନେତାଙ୍କୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଜୀବନବିନ୍ଦୁ କାର୍ଯ୍ୟକ୍ରମ ରକ୍ତାଭାବ ସମସ୍ୟା ସମାଧାନରେ ବେଶ୍ ସହାୟକ ହୋଇଛି ।

ରାଜ୍ୟର କିଛି ରକ୍ତଭଣ୍ଡାର କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଘଟଣା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ତେବେ ରକ୍ତ ସଂଗ୍ରହରେ ବେଶ୍‌ ସହାୟକ ହୋଇଛି ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ।

Leave a Reply