ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲା, ଆଜି ଆସିପାରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ

ମୁମ୍ବାଇ: ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାର ଆଜି ଆସିପାରେ ରାୟ । ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଦେଇପାରନ୍ତି ରାୟ । ଗତ ଏପ୍ରିଲ ୨୦ ତାରିଖରେ ମାମଲାର ହୋଇଥିଲା ଚୂଡ଼ାନ୍ତ ଶୁଣାଣି । ସେପଟେ ସମ୍ଭାବ୍ୟ ରାୟକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ସୂରଜ ପାଞ୍ଚୋଲିଙ୍କ ପରିବାର । ଗତ ୨୦୧୩ ଜୁନ ୩ରେ ମୁମ୍ବାଇରେ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା । ସେଥିରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ମାତ୍ର ପରେ ତାଙ୍କୁ ଜାମିନ ମିଳିଥିଲା ।

ସୂରଜଙ୍କୁ ଜାମିନ ବିରୋଧରେ ଜିୟାଙ୍କ ମା’ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ଲାଗି ପ୍ରାର୍ଥନା କରିଥିଲେ । ଫଳରେ ୨୦୧୪ରେ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ଡିସେମ୍ବର ୨୦୧୫ରେ ସିବିଆଇ ଚାର୍ଜସିଟ ଦାୟର କରିଥିଲା । ସେଥିରେ ସୂରଜଙ୍କୁ ଅଭିଯୁକ୍ତ କରାଯାଇଥିଲା । ଜିୟା ଖାଁଙ୍କ ପ୍ରକୃତ ନାମ ନଫିସା ରିଜଭି ଖାଁ ଥିଲା । ସେ ବଲିଉଡର ବହୁ ଫିଲ୍ମରେ ଅମିତାଭ ବଚ୍ଚନା, ଆମିର ଖାନ୍ ଓ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । ମାତ୍ର ୨୫ ବର୍ଷ ବୟସରେ ଚରମପଥ ନେଇଥିବା ଜିୟାଙ୍କ ବିୟୋଗରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଥିଲା । ମୃତ୍ୟୁ ପଛରେ ସୂରଜଙ୍କ ଭୂମିକା ରହିଥିଲା ବୋଲି ଅଭିଯୋଗ କରିଥିଲେ ଜିୟାଙ୍କ ମା । ଜିୟାଙ୍କ ମା’ଙ୍କ ଅଭିଯୋଗ କ୍ରମେ ୨୦୧୩ ଜୁନ ୧୧ରେ ଗିରଫ ହୋଇଥିଲେ ସୂରଜ । ମାତ୍ର ଜୁଲାଇ ୧ରେ ତାଙ୍କୁ ମିଳିଥିଲା ଜାମିନ । ଜିୟାଙ୍କ ମୃ୍ତ୍ୟୁକୁ ନେଇ ବିବିସି ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଥିଲା ।