ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝଟକିବେ କେନ୍ଦୁଝରର ଝିଅ ଝିଲ୍ଲି

1 min read

କେନ୍ଦୁଝର: ଆନ୍ତର୍ଜାତିକ ସ୍ତରରେ ଚମକିବେ ଓଡିଆ ଝିଅ । ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝଟକିବେ ଝିଲି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଝଣଝଣା ଗାଁର ଝିଲ୍ଲି ବିରୁଆ । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଅନାଥ ପରିଚୟରେ ଦିନ କାଟି ଆସୁଛନ୍ତି । ଜେଜେମାଙ୍କ ସାହାରାରେ ଜୀବନ ଜିଉଁଥିବା ଝିଲିଙ୍କ ପାଇଁ ଏବେ ଅପେକ୍ଷା କରିଛି ଏକ ଖୁସିର ମୁହୂର୍ତ୍ତ । ମହିଳା ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ଭାବେ ରାଜ୍ୟରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ବାହାର ଦେଶରେ ଦେଖାଇବେ ପ୍ରତିଭା ।

ଭିଓ-୨ ଆନ୍ତର୍ଜାତିକ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାରୁ ୫ ଜଣକ ନାଁ ଚୟନ ପ୍ରକ୍ରିୟା ନିମନ୍ତେ ବଛାଯାଇଛି । ଯେଉଁଥିରେ ରହିଛି ଝିଲ୍ଲୀଙ୍କ ନାଁ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବା ବେଳେ ଧୂଳିଧୂଷର ହୋଇରହିଛି ଝିଲ୍ଲୀଙ୍କ ଟ୍ରଫି ଓ ମାନପତ୍ର । ଗିରିବୀ କେବେବି ଭିନ୍ନକ୍ଷମ ଝିଲ୍ଲୀଙ୍କୁ ଅଟକାଇ ପାରିନାହିଁ । ତାଙ୍କର ସଫଳତାରେ ଆନନ୍ଦପୁର ଉପଜିଲ୍ଲାପାଳ ସମ୍ବର୍ଦ୍ଧନା ଜଣାଇବା ସହିତ ଭବିଷ୍ୟତ ଉଜ୍ବଳ ନେଇ କାମନା କରିଛନ୍ତି।