ଝାରସୁଗୁଡାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୭, ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ

1 min read

ଝାରସୁଗୁଡା: ରାଜ୍ୟରେ ହିଟ ୱେଭ ଜାରି ରହିଥିବା ବେଳେ ଝାରସୁଗୁଡା ଗତକାଲି ତାପମାତ୍ରା ୪୭  ଡିଗ୍ରୀ ରେକର୍ଡ କରାଯାଇଥିଲା । ରାସ୍ତାଘାଟ ସବୁ ଶୂନଶାନ ହୋଇଯାଇଛି। ଝାରସୁଗୁଡା ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ସବୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି।

ଆଜି ଶବ ବ୍ୟବଚ୍ଛେଦ ପରେ ହିଁ ଏହା ସ୍ପଷ୍ଟ ହେବ । ଝାରସୁଗୁଡାରେ ତାତି ହୁ ହୁ ହୋଇ ବଢୁ ଥିବାରୁ ଜିଲ୍ଲାପାଳ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବାକୁ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ସ୍ଥିତି ସମାନ ରହିଛି।

ଆଜି ଟ୍ରକ ମାଲିକଙ୍କ ସହିତ ଉପଜିଲ୍ଲାପାଳଙ୍କ ସମେତ  RTO, SDPO ଆଲୋଚନା କରିଛନ୍ତି । ସେପଟେ ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ନିରୀକ୍ଷଣ କରୁଛନ୍ତି। ସାତୋଟି ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ତେବେ ଏହା ଅଂଶୁଘାତ ଜନିତ ବୋଲି ଜିଲ୍ଲା ପ୍ରଶାସନ ଏଯାଏଁ ସ୍ୱଷ୍ଟ କରି ନାହାନ୍ତି ।