ଝାରସୁଗୁଡ଼ା ଉପନିର୍ବାଚନ; ଦିନ ୧୧ଟା ସୁଦ୍ଧା ୨୦.୩୮% ଭୋଟିଂ

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ଦିନ ୧୧ଟା ସୁଦ୍ଧା ୨୦ ଦଶମିକ ୩୮ ପ୍ରତିଶତ ଭୋଟିଂ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମତ ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର । ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି ।

୨୫୩ଟି ବୁଥରୁ ୧୪୪ଟି ବୁଥ୍ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ରହିଥିବା ବେଳେ ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି । ବୁଥ ଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ । ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି । ମଡେଲ ବୁଥ ଗୁଡିକରେ ମିଳିବ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ ।

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି । ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ କରାଯାଇଛି ସେଲଫି ପଏଣ୍ଟ । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ରହିଛନ୍ତି । ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।