କଲବଲ କରୁଛି ତାତି, ଝାରସୁଗୁଡା ବିଶ୍ୱର ଅଷ୍ଟମ ଉତପ୍ତ ସହର

1 min read

ଭୁବନେଶ୍ୱର: ରାଜ୍ୟରେ ତାତିର ଅଘୋଷିତ କର୍ଫ୍ୟୁ । ଜଳୁଛି ଉପାନ୍ତରୁ ଉପକୂଳ । ଝାରସୁଗୁଡା ବିଶ୍ବର ଅଷ୍ଟମ ଉତତ୍ପ ସହର ଭାବେ ରେକର୍ଡ କରାଯାଇଛି । ଶ୍ରେଷ୍ଟ ୧୫ ତାଲିକାରେ ଭାରତର ଦୁଇ ସହର ରହିଛି । ଆଜି ଦିନ 2ଟା 30 ସୁଦ୍ଧା ରାଜ୍ୟର 3 ସହରର ତାପମାତ୍ରା 40 ପାର କରିଛି । 42.4 ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ।

ସେହିଭଳି ସମ୍ବଲପୁର-41.9, ହୀରାକୁଦ-40.4 ଡ଼ିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ 39.6 ଡ଼ିଗ୍ରୀ, ଭୁବନେଶ୍ବରରେ 39.4 ଡ଼ିଗ୍ରୀ, କେନ୍ଦୁଝର-38, ବାଲେଶ୍ବର-37.2 ଡ଼ିଗ୍ରୀ, ପୁରୀରେ 35.2 ଡ଼ିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

କାଲିଠୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିଛି । ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।