ବଢୁଛି ଝାରସୁଗୁଡ଼ା ଉପନିର୍ବାଚନ ତାତି, ଆଜି ନାମାଙ୍କନର ଶେଷ ଦିନ

ଝାରସୁଗୁଡ଼ା: ବଢ଼ିବାରେ ଲାଗିଛି ଝାରସୁଗୁଡ଼ା ଉପନିର୍ବାଚନ ତାତି । ଆଜି ନାମାଙ୍କନ ଦାଖଲର ଶେଷ ଦିନ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ସବୁ ଦଳ ବିଜୟ ପାଇଁ କରିଛନ୍ତି ରଣନୀତି । ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି ସବୁ ଦଳ । କ୍ୟାମ୍ପେନିଂରେ ସବୁଠୁ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବାପା ନବ କିଶୋର ଦାସଙ୍କ ବିକାଶମୂଳକ କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକୁ ଆଧାର କରି ଜନତାଙ୍କ ପାଖକୁ ଯାଉଛନ୍ତି ଦୀପାଳି । ସବୁଠି ଦୀପାଳିଙ୍କ ପ୍ରତି ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି । ବଡ଼ ବ୍ୟବଧାନରେ ବିଜୟ ପାଇଁ ରଣନୀତି କରିଛି ଶାସକ ଦଳ ।

ସେପଟେ ଝାରସୁଗୁଡ଼ାରେ ଭଲ ପ୍ରଦର୍ଶନ କରିବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ଅଣ୍ଟା ଭିଡ଼ିଛନ୍ତି । ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବିଜେପି ବି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିଛି । ଆଜି ନାମାଙ୍କନ ଦାଖଲ ପରେ କାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ପରେ ମେ’ ୧୦ ତାରିଖରେ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳ ପ୍ରକାଶ ପାଇବ ।