କାଲି ଝାରସୁଗୁଡ଼ା ଉପନିର୍ବାଚନ, ଆଜି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେପି ଶାଢ଼ୀ ବାଣ୍ଟୁଥିବା ଅଭିଯୋଗ

ଝାରସୁଗୁଡ଼ା: ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ । ଆଜି ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପି ଶାଢ଼ୀ ବାଣ୍ଟୁଥିବା ଅଭିଯୋଗ ହୋଇଛି । କୋଲାବିରା ବ୍ଲକ୍ ଜଗନ୍ନାଥ ମନ୍ଦିର ପାଖ ଜମିଦାରପଡ଼ାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଜି ଅପରାହ୍ନରେ ଏକ ଅଟୋରେ କିଛି ଶାଢ଼ୀ ଏହି ଅଞ୍ଚଳକୁ ଆସିଥିଲା । ଶାଢ଼ୀ ଗୁଡ଼ିକୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଘର ଭିତରେ ରଖିଛନ୍ତି । ଯେଉଁ ଘରେ ଶାଢ଼ୀ ଅଛି, ସେହି ଘର ବାହାରେ ବିଜେପିର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ପ୍ରାୟ ୫୦୦ ଶାଢ଼ୀ ଅଟୋରୁ କଢ଼ାଯିବା ବେଳେ ସ୍ଥାନୀୟ ଲୋକେ ଅଟୋକୁ ଜବତ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ବିଜେପି ପକ୍ଷରୁ ଲୋକଙ୍କୁ ପ୍ରଭାବିତ କରିବାକୁ ଏହି ଶାଢ଼ୀ ବଣ୍ଟା ଯାଉଥିବା ଅଭିଯୋଗ କରିଛି ବିଜେଡି । ଏବେ ଘଟଣାସ୍ଥଳରେ ନିର୍ବାଚନ ଅଧିକାରୀ ଓ କୋଲାବିରା ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି ।