ଝାରସୁଗୁଡ଼ା ଉପନିର୍ବାଚନ: ସର୍ବଦଳୀୟ ବୈଠକ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି । ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ବାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ଥିକ ସହାୟତା ଭୋଟରଙ୍କୁ ଦିଆଯାଇପାରିବ ନାହିଁ । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ୍ ବାନ୍ଧି ରାତି ୧୦ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ କୌଣସି ପ୍ରକାରର ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ  । ପୂର୍ବରୁ ଚାଲୁ ରହିଥିବା ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିବ । ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ ।

ନିର୍ବାଚନ ମଣ୍ଡଳୀରେ ଥିବା ସବୁ ବୁଥରେ ଶତ ପ୍ରତିଶତ ଓ୍ବେବ୍ କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ । ଉପନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯେଉଁସବୁ ଗାଡ଼ି ବ୍ୟବହାର କରିବେ । ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେଇ ନିର୍ବାଚନ ପ୍ରଚାରରେ ଗାଡ଼ି ବ୍ୟବହାର କରିପାରିବେ। ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅତିକମରେ ତିନିଥର ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରିବେ ଏବଂ ସଂପୃକ୍ତ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀମାନଙ୍କ ଅପରାଧ ସଂପର୍କରେ ଗଣମାଧ୍ୟମରେ ଅତିକମରେ ତିନିଥର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପ୍ରଚାରପ୍ରସାର କରାଇ ଜନସାଧାରଣଙ୍କୁ ଅବଗତ କରାଇବେ ।