ଶାନ୍ତି ଶୃଙ୍ଖଳାର ସହ ସରିଲା ଝାରସୁଗୁଡ଼ା ଉପନିର୍ବାଚନ, ଇଭିଏମରେ ସିଲ୍ ହେଲା ୯ ପ୍ରାର୍ଥୀଙ୍କ ଭାଗ୍ୟ

1 min read

ଝାରସୁଗୁଡ଼ା: ଶାନ୍ତି ଶୃଙ୍ଖଳାର ସହ ସରିଲା ଝାରସୁଗୁଡ଼ା ଉପନିର୍ବାଚନ । ଇଭିଏମରେ ସିଲ୍ ହେଲା ୯ ପ୍ରାର୍ଥୀଙ୍କ ଭାଗ୍ୟ । କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ୍ । ୧୩ ତାରିଖରେ ବାହାରିବ ରେଜଲ୍ଟ । ମତସାବ୍ୟସ୍ତ କଲେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । କିଏ ହେବ ନବଙ୍କ ଉତ୍ତରାଧିକାରୀ ? କିଏ ପିନ୍ଧିବ ବିଜୟ ଟିକା ? ଦିନ ୫ ଟା ସୁଦ୍ଧା ୬୮.୧୨ ପ୍ରତିଶତ ଭୋଟିଂ ହୋଇଛି । ମୋଟ ଏକ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଥିବବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ୭୪ ହଜାର ୮ ଜଣ ପୁରୁଷ ଭୋଟ୍ ଦେଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୭୭ ହଜାର ୨୦ । ବେହେରାମାଲ ପିଙ୍କ୍ ବୁଥରେ ଭୋଟ ଦେଲେ ଜିଲ୍ଲାପାଳ । ଘନଘନ ବୁଥ ବୁଲିଲେ ଉତ୍ତରାଞ୍ଚଳ ଆଇଜି ଓ ଏସପି । ନୂଆ ଭୋଟରଙ୍କୁ ଫୁଲ ଚନ୍ଦନ ଓ ପୂର୍ଣ୍ଣକୁମ୍ଭ ଥୋଇ ସ୍ବାଗତ କଲେ ମିଶନ ଶକ୍ତି ମହିଳା । ବୟସ୍କଙ୍କୁ ମୁଣ୍ଡିଆମାରି ଦେଲେ ଗୋଲାପ ଫୁଲ । ନୂଆ ଅନୁଭୂତି ନେଇ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ ଭୋଟର ।

ମୁକ୍ତ, ଅବାଧ ଓ ନିରପେକ୍ଷ ଭାବରେ ଶେଷ ହୋଇଛି ଝାରସୁଗୁଡା ଉପନିର୍ବାଚନ । ସକାଳୁ ସକାଳୁ ଗଣପତି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସରବାହାଲ ହାଇସ୍କୁଲର ୩୪ ନମ୍ବର ବୁଥରେ ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମା ମୀନତି ଦାସ ଓ ଭାଇ ବିଶାଲ ଦାସଙ୍କ ସହ ଆସି ଭୋଟ ଦେବା ସହ ଝାରସୁଗୁଡା ବାସୀ ସମସ୍ତେ ଏହି ମହାନ ପର୍ବରେ ସାମିଲ ହେବାକୁ ନିବେଦନ କରିଥିଲେ । ଝାରସୁଗୁଡାର ବିକାଶ ପାଇଁ ସମସ୍ତଙ୍କ ଆର୍ଶୀବାଦରେ ଦୀପାଳି ବିଜୟଲାଭ କରିବେ ବୋଲି ଆଶା କରିଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ଓ୍ବାର୍ଡ ଗୁଜରାଟୀ ସ୍କୁଲର ୭୦ ବୁଥରେ ମତଦାନ ସାବ୍ୟସ୍ତ କରିଥିଲେ । କଂଗ୍ରେସ ପ୍ରାଥୀ ତରୁଣ ପାଣ୍ଡେ ୧୭ ନମ୍ବର ୱାର୍ଡର ପୁରୁଣା ବସ୍ତି  ପ୍ରାଥମିକ ବିଦ୍ୟାଳୟର ୭୨ ନମ୍ବର ବୁଥରେ ତାଙ୍କ ମତ ଦାନ ସାବ୍ୟସ୍ତ କରିଥିଲେ l

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ କରିଥିଲା ବ୍ୟାପକ ବ୍ୟବସ୍ଥା । ଖରାକୁ ଦୃଷ୍ଟିରେ ରଖି ସବୁ ବୁଥରେ ଥଣ୍ଡା ପାନୀୟ, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା କରାଯାଇଥିଲା । ମତଦାନରେ ଯେମିତି କୌଣସି ଅସୁବିଧା ନ ହୁଏ ସେ ନେଇ ନିଜେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବୁଥକୁ ମାରାଥନ ଗସ୍ତ କରିଥିଲେ । ଯେଉଁ ବୁଥରେ ଅଭିଯୋଗ ଆସୁଥିଲା ତାହାର ତୁରନ୍ତ ସମାଧାନ ହୋଇଥିଲା । ଏସପିଙ୍କ ସମେତ ଉତ୍ତରାଞ୍ଚଳ ଆଇଜି ଦିପକ କୁମାର ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବୁଲି ବୁଲି ସମୀକ୍ଷା କରିଥିଲେ । ବିଗତ ନିର୍ବାଚନ ଅପେକ୍ଷା ଏହି ଉପନିର୍ବାଚନରେ ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥା ଦେଖି ନୁଆ ଅନୁଭୂତି ସାଉଁଟିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ। ମତଦାନ ସରିବା ପରେ ଇଭିଏମ୍ ଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ୨୪ ଘଣ୍ଟିଆ ସିସିଟିଭି ସହିତ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ ନିୟୋଜିତ କରାଯାଇଛି ।