ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ, ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ଭୋଟିଂ ହୋଇଛି । ୬୨ ହଜାର ୪୧୯ ଜଣ ପୁରୁଷ ଓ ୫୯ ହଜାର  ୯୬୩ ଜଣ ମହିଳା ଭୋଟ ଦେଇଛନ୍ତି । ୭ ଜଣ ତୃତୀୟ ଲିଙ୍ଗୀ ଭୋଟ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ରହିଥିବାବେଳେ ୨୫୩ଟି କେନ୍ଦ୍ରରେ ମତଦାନ ହେଉଛି । ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ୱେବକାଷ୍ଟିଂ କରାଯାଉଛି ।

ସମସ୍ତ ବୁଥ୍ ଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡ଼ି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ । ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି । ମଡେଲ ବୁଥ୍ ଗୁଡିକରେ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି ମିଳୁଛି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି । ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ କରାଯାଇଛି ସେଲଫି ପଏଣ୍ଟ । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ମଧ୍ୟ ରହିଛନ୍ତି । ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।