ମରଣଯନ୍ତା ପାଲଟିଛି ଝାରପଡା ଜେଲ, ମାନୁଆଲରେ ପରିବର୍ତ୍ତନ ସତ୍ତ୍ୱେ ବଦଳୁନି ବ୍ୟବସ୍ଥା

ଭୁବନେଶ୍ୱର: ଜେଲ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଜେଲ ମାନୁଆଲରେ ଅନେକ ପରିବର୍ତ୍ତନ କରିଛନ୍ତି । କେମିତି ଜେଲ ମଧ୍ୟରେ କଏଦି ସୁରକ୍ଷିତ ରହିବ ସେ ନେଇ ଅନେକ ବ୍ୟବସ୍ଥା ମଧ୍ୟ କରାଯାଉଛି । ତଥାପି ସୁଧୁରୁନି ଜେଲ ଭିତରର ସ୍ଥିତି । ଗତ ୬ ବର୍ଷ ମଧ୍ୟରେ ଜେଲେ ଭିତରେ ୬ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି । ତେବେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଝାରପଡା ଜେଲରେ ଏହି ରିପୋର୍ଟ ।

୨୦୧୪ ମାର୍ଚ୍ଚ ୨୪ରେ ବିହାରୀ ଜେନା ନାମକ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିଲା । ୨୦୧୫ ଏପ୍ରିଲ ୯ ରେ ପ୍ରାଣ ହରାଇଥିଲେ ଟୁଲୁ ସାହୁ । ୨୦୧୫ ଡିସେମ୍ବର ୧ ରେ ଜେଲ ଚାରି କାଂଥ ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଚାରାଧୀନ କଏଦୀ  ବେଣୁଧର ଜେନା । ସେହିପରି ୨୦୧୮ ଡିସେମ୍ବର ୧୨ ରେ ଜିତେନ୍ଦ୍ର ବିଶ୍ୱାଳ, ସେହିବର୍ଷ ସେପ୍ଟେମ୍ବର ୩୦ ରେ ଗଦାଧର ସାହୁ ମୃତ୍ୟୁ ବରଣ କରିଥିଲେ । ୨୦୧୯ ଜୁଲାଇ ୩୧ ତାରିଖରେ ଅଖିଳ ବେହେରା ଓ ଏହିବର୍ଷ ନଭେମ୍ବର ୮ ତାରିଖରେ ଆଇ କୋର ଚିଟଫଣ୍ଡ ମୁଖ୍ୟଙ୍କ ମୃତ୍ୟୁ ଘଟିଥିଲା ।

ବାରମ୍ବାର ଝାରପଡ଼ା ଜେଲରେ ଏଭଳି ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟୁଛି । ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ବାରମ୍ବାର ଅଭିଯୋଗ ଆଣୁଛନ୍ତି । ଗତ କିଛିଦିନ ତଳେ ଜେଲ ପରିସରରେ ପ୍ରଦୀପ ସେଠୀଙ୍କୁ ଆକ୍ରମଣ କରାଯିବା ନେଇ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ କମିଶନରେଟ ପୋଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ତତ୍ପରତା ଅଭାବରୁ ଏଥିରୁ ଗୁମର ଫିଟୁନଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।

ଜେଲ ବିଭାଗରେ ସଂସ୍କାର ଆଣିବା ପାଇଁ କିଛିଦିନ ତଳେ ଜେଲ ମାନୁଆଲରେ ପରିବର୍ତ୍ତନ ଆସିଥିଲା । ଜେଲ ଭିତରକୁ ମାଦକଦ୍ରବ୍ୟ ପ୍ରଵେଶ ରୋକିଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଥିଲା । କିନ୍ତୁ ପରିସ୍ଥିତି ଯାହାକୁ ସେୟା । ଜେଲ ପରିସରକୁ ଅବାଧରେ ନିଶାଦ୍ରବ୍ୟ, ମାଦକ ଆଦିର ବେଧଡକ ପ୍ରବେଶ ଚାଲିଥିବା ବେଳେ ଗ୍ୟାଙ୍ଗୱାର କୁ ପ୍ରଶୟ ଦିଆଯାଉଛି । ବିଚାର ବିଭାଗୀୟ ତଦନ୍ତ ଆଳରେ ଘଟଣା ଚପିଯାଉଛି । କେବଳ ଝାରପଡା ନୁହେଁ, ରାଜ୍ୟର ଅଧିକାଂଶ ଜେଲରେ ଏଭଳି ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି । କିନ୍ତୁ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଅଭାବରୁ ବିଚାରାଧୀନ କଏଦୀଙ୍କ ଜୀବନ ପାଣି ଫୋଟକା ଭଳି ଚାଲିଯାଉଛି ।

Leave a Reply