ଆଜି ସରିବ ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର

ରାଞ୍ଚି : ଆଜି ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରର ଶେଷ ଦିନ। ଆସନ୍ତା ୧୩ରେ ହେବ ଭୋଟ। ୮୧ ଆସନ ମଧ୍ଯରୁ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେବ ଭୋଟ। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ଯରେ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଷଢେଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ। ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ଯପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା। ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଜି।  ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ  ମୈୟା ସମ୍ମାନ ଯୋଜନା, ଖାଦ୍ଯ ନିରାପତ୍ତା ଗ୍ଯାରେଣ୍ଟି, ଶିକ୍ଷାର ଗ୍ଯାରେଣ୍ଟି, ନିଯୁକ୍ତି ଓ ସ୍ବାସ୍ଥ୍ଯ ନିରାପତ୍ତା ଗ୍ଯାରେଣ୍ଟି, କୃଷକ କଲ୍ଯାଣ ଗ୍ଯାରେଣ୍ଟି, ସରନା ଧରମ ସଂହିତା କାର୍ଯ୍ୟକାରୀ ଗ୍ଯାରେଣ୍ଟି ଆଦି ଦିଆଯାଇଛି। ସେହିପରି ଏନଡିଏ ପକ୍ଷରୁ ଦିଆଯାଇଛି ମାଳମାଳ ପ୍ରତିଶ୍ରୁତି। ପ୍ରତି ମହିଳାଙ୍କ ନିକଟକୁ ଯିବ ୨ ହଜାର ୧୦୦ ଟଙ୍କା, ୫ଶହ ଟଙ୍କାରେ ପ୍ରତି ପରିବାରକୁ ଏଲପିଜି ସିଲିଣ୍ଟର ଆଦି ପ୍ରତିଶ୍ରୁତି ଦିଆଯାଇଛି।