୫୩ ବର୍ଷ ବୟସରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଲେ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ

ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ୫୩ ବର୍ଷ ବୟସରେ ପୁଣିଥରେ ପଢିବା ଆରମ୍ଭ କରିବେ । ସୋମବାରକୁ ସେ ବୋକାରୋର ନାବାଡିହର ଦେବୀ ମହତୋ ଇଣ୍ଟର କଲେଜର ଏକାଦଶ ଶ୍ରେଣୀରେ ନାମ ଲେଖିଛନ୍ତି । ୧୯୯୫ରେ ମାଟ୍ରିକ ପରୀକ୍ଷା ଶେଷ କରିବା ପରେ ସେ ପଢା ଛାଡ଼ି ଦେଇଥିଲେ । କଲେଜର ପ୍ରିନ୍ସିପାଲ ଦିନେଶ୍ ପ୍ରସାଦ ବର୍ଣ୍ଣବାଲ ନିଜେ ଶିକ୍ଷା ମନ୍ତ୍ରୀଙ୍କ ନାମ କଳା ବିଭାଗରେ ପଞ୍ଜିକୃତ କରିଛନ୍ତି । ସେଠାକୁ ଯାଇ ମନ୍ତ୍ରୀ ମହତୋ ନାମାଙ୍କନ ଫର୍ମ ପୂରଣ କରିବା ସହିତ ଏହା ବାବଦକୁ ୧୧୦୦ ଟଙ୍କା ମଧ୍ୟ ଦେଇଛନ୍ତି । ତେବେ ପଢା ଓ ରାଜନୀତି ଉଭୟ କାମକୁ ଠିକ ଭାବରେ ତୁଲାଇବେ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ । କେବଳ ସେତିକି ନୁହେଁ ଚାଷ କାମ ମଧ୍ୟ କରିବେ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇଛନ୍ତି ଶିକ୍ଷା ମନ୍ତ୍ରୀ ।

ଗତ ଜାନୁୟାରୀ ମାସରେ ଶିକ୍ଷାମନ୍ତ୍ରୀ ଭାର ତୁଲାଇବା ପରେ ସେ କିଛି ଲୋକଙ୍କ ଥଟ୍ଟା ମନ୍ତବ୍ୟର ଶୀକାର ହୋଇଥିଲେ । ଦଶମ ପାସ୍ କରିଥିବା ବ୍ୟକ୍ତିକୁ ଶିକ୍ଷାମନ୍ତ୍ରୀ ପଦବୀ ଦାୟୀତ୍ୱ କେମିତି ଦିଆଗଲା ଭଳି ବିଭିନ୍ନ କଥା ତାଙ୍କୁ ଶୁଣିବାକୁ ପଡ଼ିଥିଲା । ତାହା ପରଠାରୁ ସେ ପାଠ ପଢିବେ ବୋଲି ଠାଣି ନେଇଥିଲେ । ପଢିବା ପାଇଁ କୌଣସି ବୟସର ଆବଶ୍ୟକତା ନାହିଁ । ଚାକିରି କରୁଥିବା ସମୟରେ ଲୋକ ଆଇଏଏସ୍, ଆଇପିଏସର ପ୍ରସ୍ତୁତି କରୁଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ମହତୋ । ଏହା ସହିତ ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କଥା ସେ ତାଙ୍କ ମନ୍ତବ୍ୟରେ ଉଲ୍ଲେଖ କରିଛନ୍ତି । ସୋମବାରକୁ ରାଜ୍ୟ ସାରା ୪୪୧୬ ଆଦର୍ଶ ଇଣ୍ଟର ସ୍କୁଲ ସ୍ଥାପନ କରିବା ପାଇଁ ସେ ସ୍ୱାକ୍ଷର ଦେଇଛନ୍ତି । ଏହି ପ୍ରସ୍ତାବ କ୍ୟାବିନେଟକୁ ଯିବ ଏବଂ ରାଜ୍ୟ ମନ୍ତ୍ରୀ ପରିଷଦରୁ ସ୍ୱୀକୃତି ପାଇବା ପରେ ଗାଁରେ ରହୁଥିବା ପିଲାଙ୍କ ଉନ୍ନତି ପାଇଁ କାର‌୍ୟ୍ୟରେ ପରିଣତ ହେବ । ଏହି ସୁବିଧାକୁ ପିଲାମାନେ ମାଗଣାରେ ପାଇ ପାରିବେ । କହିରଖୁଛୁ ଶିକ୍ଷାମନ୍ତ୍ରୀ ହେବା ପରଠାରୁ ଗରୀବ ପିଲାଙ୍କ ପଢାର ଉନ୍ନତି ପାଇଁ ସେ କାମ କରୁଛନ୍ତି ।

ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡରେ ମନ୍ତ୍ରୀ ଜଗରନାଥଙ୍କ ବ୍ୟତୀତ ଏଭଳି କିଛି ମନ୍ତ୍ରୀ ଅଛନ୍ତି ଯେଉଁ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ।

Leave a Reply