ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

1 min read

ରାଞ୍ଚି: ଆଜି ଝାଡ଼ଖଣ୍ଡ ଭୋଟ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ମୋଟ ୮୧ ଆସନରୁ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେଉଛି ମତଦାନ। ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଏହା ଚାଲିବ। ଝାଡ଼ଖଣ୍ଡର ୧୫ ଜିଲ୍ଲାର ୪୩ ଆସନରେ ଭୋଟଗ୍ରହଣ ହେଉଛି।

ପ୍ରଥମ ପର୍ଯ୍ୟାୟ ଲାଗି ଝାଡ଼ଖଣ୍ଡରେ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଏବଂ ୭୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩୫ ପ୍ରାର୍ଥୀ କୋଟିପତି ରହିଛନ୍ତି। ଯେଉଁଠିକି ୧୭୪ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ଭୋଟିଂ ଲାଗି ୨୯ ହଜାର ୫୬୨ ବୁଥ କରାଯାଇଛି। ୪୩ ଆସନ ମଧ୍ୟରୁ ୧୭ ସାଧାରଣ ବର୍ଗ, ୨୦ ଆସନ ଅନୁସୂଚିତ ଜନଜାତି ଏବଂ ୬ ଆସନ ଅନୁସୂଜିତ ଜାତି ବର୍ଗର ରହିଛି।୨୦ ହଜାର ୨୮୧ ସ୍ଥାନରେ ଏହି ସବୁ ବୁଥ ରହିଛି। ସହରାଞ୍ଚଳରେ ୫ ହଜାର ୪୨ ବୁଥ ରହିଛି। ୨୪ ହଜାର ୫୨୦ ବୁଥ ଗ୍ରାମାଞ୍ଚଳରେ ରହିଛି। ୪୩ ଆସନ ମଧ୍ୟରୁ ୨୯ ଆସନ ସମ୍ବେଦନଶୀଳ କ୍ଷେତ୍ର ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।

ରାଜ୍ୟରେ ମୋଟ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟି ୩୧ ଲକ୍ଷ ପୁରୁଷ ଓ ୧ କୋଟି ୨୯ ଲକ୍ଷ ହେଉଛନ୍ତି ମହିଳା ଭୋଟର। ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି। ୨୦୧୯ବିଧାନସଭା ନିର୍ବାଚନରେ ଜେଏମମ-କଂଗ୍ରେସ-ଆରଜେଡି ମେଣ୍ଟ ୮୧ଟି ଆସନରୁ ୪୭ଟି ଆସନରେ ବିଜୟୀ ହୋଇଥିଲେ। ଜେଏମଏମକୁ ୩୦ଟି, କଂଗ୍ରେସକୁ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନ ମିଳିଥିଲା। ବିଜେପି ଏକାକୀ ନିର୍ବାଚନ ଲଢ଼ି ୨୫ଟି ଆସନ ପାଇଥିଲା।